Categories: ଜାତୀୟ

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳ ୧୧ଟାରେ ଭାଜପାର ଗାନ୍ଧିନଗର କାର୍ଯ୍ୟାଳୟ କମଲାମରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିବେ।
ହାର୍ଦ୍ଦିକ ପଟେଲ ଗୁରୁବାର ସକାଳୁ ଟୁଇଟ୍‌ କରି ଭାଜପାରେ ଯୋଗଦେବା ବିଷୟରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି, ‘ଜାତୀୟ ସ୍ବାର୍ଥ, ରାଜ୍ୟ ସ୍ବାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ମୁଁ ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେବା କରିବା କାର୍ଯ୍ୟରେ ଏକ ଛୋଟ ସିପାହି ଭାବରେ କାର୍ଯ୍ୟ କରିବି।
ସୂଚନାଯୋଗ୍ୟ, ନିକଟରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସେ ଦଳ ଛାଡିବା ନେଇ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ହାର୍ଦ୍ଦିକ କହିଥିଲେ, ଏହା ହେଉଛି ଏକବିଂଶ ଶତାବ୍ଦୀ ଏବଂ ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଦେଶର ଯୁବକମାନେ ଏକ ଦକ୍ଷ ଏବଂ ଦୃଢ଼ ନେତୃତ୍ୱ ଚାହୁଁଛନ୍ତି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ମୁଁ ଜାଣିବାକୁ ପାଇଛି ଯେ କଂଗ୍ରେସ ଦଳ କେବଳ ବିରୋଧର ରାଜନୀତିରେ ସୀମିତ ରହିଆସିଛି। ଦେଶର ଲୋକଙ୍କର ବିରୋଧ ନୁହେଁ, ଏକ ନୂଆ ବିକଳ୍ପ ଆବଶ୍ୟକ, ଯାହା ସେମାନଙ୍କ ଭବିଷ୍ୟତ ଏବଂ ଦେଶକୁ ଆଗକୁ ନେବ।

Share