Categories: ଜାତୀୟ

ଭାଜପାରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମଦାବାଦରେ ଥିବା ଭାଜପା ମୁଖ୍ୟାଳୟରେ ରାଜ୍ୟର ଭାଜପା ଅଧ୍ୟକ୍ଷ ସିଆର୍‌ ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଦଳରେ ଯୋଗ ଦେବା ପୂର୍ବରୁ ହାର୍ଦ୍ଦିକ ଦୁର୍ଗା ପୂଜା ଏବଂ ଗାଈ ପୂଜା କରିଥିଲେ।
ହାର୍ଦ୍ଦିକ କହିଛନ୍ତି, ଆଜି ପର୍ଯ୍ୟନ୍ତ ମୁଁ ପଦ ଲୋଭରେ କୌଣସି ପ୍ରକାରର କାମ କରି ନାହିଁ। ମୁଁ କାମ ମାଗି କଂଗ୍ରେସ ଛାଡିଥିଲି ଏବଂ ଭାଜପାରେ ମଧ୍ୟ ମୁଁ କାମ କରିବାର ଇଚ୍ଛା ନେଇ ଯୋଗ ଦେଉଛି।
ହାର୍ଦ୍ଦିକ ପଟେଲ ଗୁରୁବାର ସକାଳୁ ଟୁଇଟ୍‌ କରି ଭାଜପାରେ ଯୋଗଦେବା ବିଷୟରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି, ‘ଜାତୀୟ ସ୍ବାର୍ଥ, ରାଜ୍ୟ ସ୍ବାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ମୁଁ ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେବା କରିବାରେ ଏକ ଛୋଟ ସିପାହି ଭାବରେ କାର୍ଯ୍ୟ କରିବି।
ସୂଚନାଯୋଗ୍ୟ, ନିକଟରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସେ ଦଳ ଛାଡିବା ନେଇ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ହାର୍ଦ୍ଦିକ କହିଥିଲେ, ଏହା ହେଉଛି ଏକବିଂଶ ଶତାବ୍ଦୀ ଏବଂ ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଦେଶର ଯୁବକମାନେ ଏକ ଦକ୍ଷ ଏବଂ ଦୃଢ ନେତୃତ୍ୱ ଚାହୁଁଛନ୍ତି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ମୁଁ ଜାଣିବାକୁ ପାଇଛି ଯେ କଂଗ୍ରେସ ଦଳ କେବଳ ବିରୋଧର ରାଜନୀତିରେ ସୀମିତ ରହିଆସିଛି। ଦେଶର ଲୋକଙ୍କର ବିରୋଧ ନୁହେଁ, ଏକ ନୂଆ ବିକଳ୍ପ ଆବଶ୍ୟକ, ଯାହା ସେମାନଙ୍କ ଭବିଷ୍ୟତ ଏବଂ ଦେଶକୁ ଆଗକୁ ନେବ।

Share