ଗାନ୍ଧିନଗର,୧୮।୫: ଗୁଜୁରାଟ ନିର୍ବାଚନର କିଛି ମାସ ପୂର୍ବରୁ କଂଗେସକୁ ବଡ଼ ଝଟକା। କଂଗ୍ରେସ ଛାଡିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜେ ତାଙ୍କ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଜି ମୁଁ କଂଗ୍ରେସ ପାର୍ଟିର ପଦ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ମୋର ବିଶ୍ୱାସ ଅଛି କି ମୋର ଏହି ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ପ୍ରତିଟି ସଦସ୍ୟ ସ୍ବାଗତ କରିବେ। ଏହି ପଦକ୍ଷେପ ସହିତ ମୁଁ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି।’ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୋଷ ଥିଲେ। ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି।