Categories: ଜାତୀୟ

ଇସ୍ତଫା ଦେବା ପରେ ଭାଇରାଲ ହେଉଛି ହାର୍ଦ୍ଦିକଙ୍କ ପୁରୁଣା ଟୁଇଟ୍‌

ଗାନ୍ଧିନଗର,୧୮ ।୫: ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ରାଜ୍ୟରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ହାର୍ଦ୍ଦିକ ପଟେଲ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ଖବର ସେ ନିଜେ ଟୁଇଟ କରି ଜଣାଇଛନ୍ତି । ସେ କହିଛନ୍ତି, ଆଜି ମୁଁ ସାହସର ସହ କଂଗ୍ରେସ ଦଳର ପଦ ଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଏବେ ପଟେଲ ଭାରତୀୟ ଜନତା ପାର୍ଟି(ଭାଜପା)ର ହାତ ଧରିବେ ବୋଲି ଆଲୋଚନା ହେଉଛି । ଏହି ଘଟଣାକ୍ରମ ମଧ୍ୟରେ ହାର୍ଦ୍ଦିକ ପଟେଲଙ୍କ ଏକ ପୁରୁଣା ଟୁଇଟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଥିଲେ, ମରିବା ପର୍ଯ୍ୟନ୍ତ ହାତର ସାଥ ଛାଡିବେ ନାହିଁ ଅର୍ଥାତ୍ ମରିବା ପର୍ଯ୍ୟନ୍ତ ସେ କଂଗ୍ରେସର ହାତ ଛାଡିବେ ନାହିଁ । ସେଥିରେ ସେ କହିଥିଲେ ଜିତିବା ହାରିବାକୁ ନେଇ ପାଲା ବ୍ୟବସାୟୀ ବଦଳାଇ ଥାଆନ୍ତି । ବିଚାରଧାରା ଅନୁଯାୟୀ ଲଢିବି, ଜିତିବି ଆଉ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ଏହି ଟୁଇଟ ହାର୍ଦ୍ଦିକ ୨୦୨୦ରେ ହୋଇଥିବା ଗୁଜରାଟ ବିଧାନସଭା ଉବନିର୍ବାଚନର ଫଳାଫଳ ଆସିବା ପରେ କହିଥିଲେ । ଏହି ଉପ ନିର୍ବାଚନରେ କଂଗ୍ରେସ ସମସ୍ତ ୮ଟି ଆସନରେ ପରାଜୟ ସ୍ୱୀକାର କରିଥିଲା ।

Share