Categories: ଜାତୀୟ

ଆସନ୍ତା ସପ୍ତାହରେ ଭାଜପାରେ ଯୋଗଦେବେ ହାର୍ଦ୍ଦିକ

ଅହମଦାବାଦ,୨୮ା୫(ଆଇଏଏନ୍‌ଏସ୍‌): କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମେ’ ୩୦ କିମ୍ବା ୩୧ରେ ଭାଜପାରେ ଯୋଗଦେବେ। ଏନେଇ ସେ ଶୁକ୍ରବାର ଅହମଦାବାଦରେ ସୂଚନା ଦେଇଛନ୍ତି। ଏପରିକି ସେ ଆଗାମୀ ବିଧାନସଭା ନିର୍ବାଚନ ଭାଜପା ଟିକେଟରେ ଲଢ଼ିବେ ବୋଲି ମଧ୍ୟ କହିଛନ୍ତି। ଗୈରିକ ଦଳ ତାଙ୍କୁ କେଉଁ ଆସନରୁ ପ୍ରାର୍ଥୀ କରିବ ସ୍ଥିର କରିସାରିଲାଣି ବୋଲି ସେ ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ସୋମନାଥ ମନ୍ଦିରରୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପର୍ଯ୍ୟନ୍ତ ଏକତା ଯାତ୍ରାର ନେତୃତ୍ୱ ହାର୍ଦ୍ଦିକ ନେବେ। ଭାଜପାରେ ଯୋଗଦେବାରେ ଏହା ଏକ ବିଶାଳ ଶୋ’ ହେବ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ଭାଜପାରେ ଯୋଗଦେବା ଲାଗି ତାଙ୍କୁ ୨ଟି ବିକଳ୍ପ ପ୍ରସ୍ତାବ ଦିଆଯାଇଥିଲା। ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଯୋଗଦେବେ ନା ଗାନ୍ଧୀନଗରରେ ଗୁଜରାଟ ଭାଜପା ପ୍ରଭାରୀ ଭୂପେନ୍ଦ୍ର ଯାଦବ କିମ୍ବା ବି.ଏଲ୍‌. ସନ୍ତୋଷଙ୍କ ଉପସ୍ଥିତିରେ ଯୋଗଦେବେ ବୋଲି ପ୍ରଶ୍ନ କରାଯାଇଥିଲା। ହାର୍ଦ୍ଦିକ ଦ୍ୱିତୀୟ ବିକଳ୍ପ ବାଛିଥିଲେ।
ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା ଅସନ୍ତୁଷ୍ଟ ଥିବା ହାର୍ଦ୍ଦିକ ମେ’ ୧୮ରେ କାର୍ଯ୍ୟକାରୀ ସଭାପତି ପଦ ଏବଂ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଭାଜପାରେ ଯୋଗଦେବା ନେଇ ସେତେବେଳେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଶୁକ୍ରବାର ଘୋଷଣା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ।

Share