ଖୋର୍ଦ୍ଧା,୨୮ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଧରିତ୍ରୀ ଏବଂ ଏନ୍ଭାଇରନ୍ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଇଏଫ୍ଆଇ)ର ମିଳିତ ଆନୁକୂଲ୍ୟରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଦିନେ ପରିତ୍ୟକ୍ତ ଅବସ୍ଥାରେ ଅବ୍ୟବହୃତ ହୋଇପଡିଥିବା ଏହି ପୋଖରୀ ଏବେ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ପୋଖରୀରେ ଜଳ ପରିପୂର୍ଣ୍ଣ ରହିଛି। ଏନେଇ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଏକାଧିକ ଗ୍ରାମବାସୀ ଧରିତ୍ରୀ ଓ ଇଏଫ୍ଆଇକୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଯେ, ହରିଡାମଡ଼ା ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରନ୍ତି। ଗ୍ରାମର ଶେଷ ଭାଗରେ ଏହି ପୋଖରୀ ରହିଛି। ନିକଟରେ ରହିଛି ଗ୍ରାମ୍ୟ ଜଙ୍ଗଲ। ଦୀର୍ଘ ଦିନ ଧରି ଏହି ଜଳାଶୟ ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଏହାର ପୁନରୁଦ୍ଧାର ଲାଗି ଗ୍ରାମବାସୀ ଦାବି କରି ଆସୁଥିଲେ। ଗତ ମେ’ ୨୭ରେ ଧରିତ୍ରୀ ଏବଂ ଇଏଫ୍ଆଇର ମିଳିତ ସହଯୋଗରେ ଏହି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି। ୨୮ ନମ୍ବର ଜିଲା ପରିଷଦ ସଭ୍ୟ ପ୍ରଭାତ ପରିଡା କହିଛନ୍ତି, ଏହି ପୋଖରୀର ପୁନରୁଦ୍ଧାର ପାଇଁ ବହୁ ଥର ଜିଲା ପରିଷଦ ବୈଠକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲି। ସବୁଥର କେବଳ ପ୍ରତଶ୍ରୁତି ମିଳିଥିଲା, ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ଧରିତ୍ରୀ ସହଯୋଗର ହାତ ବଢ଼ାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ। ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏହି ପୋଖରୀର ରୂପ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ପୁନରୁଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଇଏଫ୍ଆଇ ସିଭିଲ ଇଞ୍ଜିନିୟର କୁମାରକାନ୍ତ ଜେନା କହିଛନ୍ତି, ପୋଖରୀ ସମ୍ପୂର୍ଣ୍ଣ ପଙ୍କ କାଦୁଅରେ ପୋତି ହୋଇପଡିଥିଲା। ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ଥିଲା ପୁନରୁଦ୍ଧାର। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତିଦିନ କାର୍ଯ୍ୟ ଜାରି ରହିଥିଲା। ତାହା ଏକ ପ୍ରକାର ସଫଳ ହୋଇଛି। ହିଡକୁ ଚଉଡା କରାଯାଇଛି। ବର୍ଷାଦିନେ ପୋଖରୀ ଜଳ ଭରପୂର ରହିବା ସହ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ। ଇଏଫ୍ଆଇର ଆବାହକ ଅରୁଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଛି। ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏହା ପୋତି ହୋଇଯାଇଥିଲା। ଓଡ଼ିଶାରେ ଜଳାଶୟ ଗୁଡିକର ଜଳସ୍ତର କମିବାରେ ଲାଗିଛି। ଗ୍ରାମାଞ୍ଚଳଗୁଡିକରେ ବହୁ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହି ପୋତି ହୋଇ ସତ୍ତା ହରାଉଛି। ଏହାର ପୁନରୁଦ୍ଧାର ସହ ପୁଣି ଥରେ ଲୋକଙ୍କ ଉପଯୋଗୀ କରିବା ଉଦ୍ଦେଶ୍ୟରେ ଇଏଫ୍ଆଇ ସହ ଧରିତ୍ରୀ ର ଏକ ମିଳିତ ପ୍ରୟାସ। ଆଗକୁ ଏଭଳି ଅଭିଯାନ ଜାରି ରହିବ।