କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିତପୁର ପଞ୍ଚାୟତ ଦେଓଝର ହରିଡ଼ାଯୋଡ଼ି ଓ କନକନା ଗ୍ରାମର ବାସିନ୍ଦା ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ସବୁ ଗ୍ରାମରେ ପାଖାପାଖି ୧୫ ଶହ ଭୋଟର ବସବାସ କରୁଛନ୍ତି। ତେବେ ଏଠାରେ ଲୋକମାନେ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ କୌଣସି ସୁଫଳ ମିଳୁନି। ଏଣୁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପିଇବା ଜଳଯୋଗାଣ, ୨୪ଘଣ୍ଟା ବିଦ୍ୟୁତ ଯୋଗାଣ ଏବଂ ଯାତାୟାତ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ସେବା ଚଳାଚଳ କରିବାକୁ ଦାବି କରିଛନ୍ତି। ଗ୍ରାମରେ ବିଦ୍ୟୁତ୍ ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅନ୍ଧାରରେ ରାତି କାଟୁଛନ୍ତି। ରାତିରେ ବାହାରକୁ ବାହାରିଲେ ହାତୀ ଓ ସାପ ଭୟ ରହୁଛି। ଏଣୁ ଏହି ସବୁ ଦାବି ପୂରଣ ନ ହେଲେ ବାସିନ୍ଦା ଭୋଟ୍ ବର୍ଜନ କରିବାକୁ ଚେତାବନୀ ନେଇଛନ୍ତି। ସମିତି ସଭ୍ୟା ଜ୍ୟୋତ୍ସ୍ନାରାଣୀ ବାରିକ, ଓ୍ବାର୍ଡସଭ୍ୟ ଘାସିରାମ ମୁଣ୍ତା, ଉଗ୍ରସେନ ମୁଣ୍ତା ଆଜି ଜିଲାପାଳଙ୍କୁ ଏହି ଦାବିପତ୍ର ଦେଇଥିଲେ।