ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ପାଟଣା,୧୧ା୩(ସ୍ବ.ପ୍ର.): ଗରିବଙ୍କ କଲ୍ୟାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରିଥିବା ବେଳେ ସ୍ଥଳ ବିଶେଷରେ ଯୋଗ୍ୟ ହିତାଧିକାରୀଙ୍କ ଅନୁକମ୍ପା ରାଶି ହେଉ କି ସରକାରୀ ଯୋଜନାର ଅର୍ଥ ହେଉ ତାକୁ ସରକାରୀ କର୍ମଚାରୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ଚଞ୍ଚକତା କରି ହଡପ କରିନେଉଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମର ନୀଳମଣି ବେହେରାଙ୍କ ବିଧବା ସ୍ତ୍ରୀ ଚାନ୍ଦମଣୀ ଓ ତାଙ୍କ ପୁଅ ବସନ୍ତ।
ସୂଚନା ଅନୁଯାୟୀ, ନୀଳମଣିଙ୍କ ୨ ବର୍ଷ ପୂର୍ବେ ଦେହାନ୍ତ ପରେ ଘର ଲୋକେ ଓଡ଼ିଶା ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଆବେଦନ କରିଥିଲେ। ଟଙ୍କା ମିଳିବାରୁ ଚାନ୍ଦମଣୀ ଓ ପୁଅ ବସନ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପହଞ୍ଚି ମା’ ପୁଅ ଜାଣିବାକୁ ପାଇଥିଲେ ହେଁ ତାଙ୍କ ନଁାରେ କେହି ଟିପ ଦେଇ ଟଙ୍କା ଉଠାଇ ନେଇଛନ୍ତି। ମା’ ପୁଅ ଏନେଇ ପିଇଓଙ୍କୁ ଦୋଷ ଦେଇ ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି। ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉପଲବ୍ଧ କରାଇବା ପ୍ରତିବଦଳରେ ପିଇଓ ଚାନ୍ଦମଣୀଙ୍କୁ ଲାଞ୍ଚ ମାଗିଥିବା ସେ ପ୍ରକାଶ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏସମ୍ପର୍କରେ ସମ୍ପୃକ୍ତ ପିଇଓ ରସାନନ୍ଦ ସେଠୀ କହିଛନ୍ତି, ମୁଁ ଫେବୃୟାରୀ୨୮ରୁ ଅବସର ଗ୍ରହଣ କଲା ପରେ ମହିଳା ଜଣକ ଟଙ୍କା ପାଇ ନାହାନ୍ତି।

Share