ବିପଦରେ ବିରଳ ପ୍ରଜାତିର ହର୍ଲି କଙ୍କଡ଼ା

ମହାକାଳପଡ଼ା,୨।୭(ଡି.ଏନ୍‌.ଏ.): ଜୈବ ବିବିଧତା ଓ ମୃତ୍ତିକା ଉର୍ବରତା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବିରଳ ପ୍ରଜାତିର ସାମୁଦ୍ରିକ ହର୍ଲି କଙ୍କଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ବିରଳ ହର୍ଲି କଙ୍କଡ଼ା ସମୁଦ୍ର କୂଳିଆ ବାଲିଆ ଦୋରସା ପଟୁ ମାଟିରେ ଏକ ଇଞ୍ଚ ଗୋଲେଇ ଓ ୧୦ ଫୁଟରୁ ଅଧିକ ଗାତ କରିଥାନ୍ତି। ଏମାନେ ଗାତ କରିବା ଦ୍ୱାରା ବାୟୁ ଚଳାଚଳ ଓ ପଚା ଶଢା ବର୍ଜ୍ୟବସ୍ତୁ ଭିତରକୁ ଯିବାରେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ଉପକୂଳ ଅଞ୍ଚଳରେ ଦେଖାଯାଇଥିବା ହେନ୍ତାଳବଣ, ଲୁଣା ଜଙ୍ଗଲ ଆଦି ଗଛ ମୂଳରେ ଏମାନେ ଗାତ କରିବାକୁ ପସନ୍ଦ କରନ୍ତି। କାରଣ ସମୁଦ୍ର ଜୁଆର ହେବା ଦ୍ୱାରା ଗଛ ଚେର ତଳେ ବିଭିନ୍ନ ପ୍ରକାରର ସାମୁଦ୍ରିକ ସରୀସୃପ, ଛୋଟ ଛୋଟ ଜୀବ, ଚୂନା ମାଛ, ବର୍ଜ୍ୟବସ୍ତୁ, ପଚା ଶଢା ଆଦିକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ସାମୁଦ୍ରିକ ଭଟ୍ଟା ସମୟରେ ଏହି କଙ୍କଡ଼ା ଗାତରେ ଅମ୍ଳଜାନ ପ୍ରବେଶ କରିବା ଦ୍ୱାରା ଜଙ୍ଗଲ ବଢ଼ିବାରେ ସହାୟକ ହୁଏ। ଏହି ପ୍ରଜାତିର କଙ୍କଡ଼ାଗୁଡ଼ିକ ସଂଘ ବଦ୍ଧ ଭାବେ ଏକତ୍ରିତ ବସବାସ କରନ୍ତି। ଶତ୍ରୁକୁ ଦେଖିଲେ ଆଖି ପିଛୁଳାକେ ଗଭୀର ଗାତ ଭିତରେ ପଶି ଆତ୍ମରକ୍ଷା କରିଥାନ୍ତି। ଏହି କଙ୍କଡ଼ା ହଳଦୀ ରଙ୍ଗ ଓ ପିଠି ଉପରେ କଳା କଳା ଛୋଟ ଛୋଟ ସରଳ ରେଖା ପଡି ଥିବାରୁ ଦେଖିବାକୁ ସୁନ୍ଦର ଲାଗିଥାଏ। ସାଧାରଣତଃ କଙ୍କଡ଼ାଗୁଡ଼ିକର ୧୦ ଗୋଟି ଗୋଡ଼ ରହିଥିବା ବେଳେ ଏମାନଙ୍କର ଗୋଡ଼ ୯ ଗୋଟି ଦେଖିବାକୁ ମିଳେ। ଏହି କଙ୍କଡାର ମୁଖ୍ୟ ଗୋଡ଼ଟି ବଡ଼ଥାଏ। ଏହି ବୁଢ଼ା ଗୋଡ଼ ସାହାଯ୍ୟରେ ଶତ୍ରୁକୁ ଆକ୍ରମଣ କରିବା ସହ ଖାଦ୍ୟ ଗ୍ରହଣ କରିଥାଏ। ଏହି ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମୁହାଣର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାର ଲଞ୍ଚ ଘୋଲା, ଷୋଳ ମୁହାଣ, ହୁକିଟୋଲା, ତଣ୍ଡା ବାଲୁକା ବେଳାଭୂମି ଓ ତତ୍‌ସଂଲଗ୍ନ ତ୍ରିକୋଣ ଭୂମି ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ବୁଦି ବୁଦିଆ, ସନ୍ତସନ୍ତିଆ ଆଦି ସ୍ଥାନରେ ଦଳ ଦଳ ହୋଇ ବାଲୁକା ବେଳାଭୂମିରେ ବିଚରଣ କରିଥାନ୍ତି। ଏବେ କିନ୍ତୁ ଶିଳ୍ପ ଦ୍ୱାରା ପ୍ରଦୂଷଣ ଓ ଚିଙ୍ଗୁଡି ଘେରିର ରାସାୟନିକ ବର୍ଜ୍ୟବସ୍ତୁ, ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗାରୁ ନିର୍ଗତ ତୈଳାକ୍ତ ଦ୍ରବ୍ୟ ସମୁଦ୍ର ପାଣିରେ ମିଶି ପ୍ରଦୂଷଣର ମାତ୍ର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ପ୍ରଜାତିର କଙ୍କଡା ବଂଶ ଏବେ ବିପଦରେ ପଡିଛି। ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି।
ବିଶେଷକରି ଶୀତ ଦିନେ ପର୍ଯ୍ୟଟକମାନେ ଏହି କଙ୍କଡ଼ାଗୁଡ଼ିକୁ ଦେଖିବା ପାଇଁ ସମୁଦ୍ର କୂଳରେ ଭିଡ଼ ଜମେଇ ଥାନ୍ତି। କେତେଜଣ ପର୍ଯ୍ୟଟକ ଏହି ଦଳ ଦଳ କଙ୍କଡା ସହ ସେଲ୍ଫି ଉଠାଇଥାନ୍ତି। ସମୁଦ୍ର କୂଳିଆ ଅଞ୍ଚଳରେ ଜଙ୍ଗଲି ବିଲୁଆ, ହେଟା, ଜଙ୍ଗଲି ଭୁଆଁ, ଜଙ୍ଗଲି ବୁଲା କୁକୁର, ଚିଲ୍‌ ଆଦି ଏହି କଙ୍କଡ଼ାକୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏହି ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡ଼ା ବସବାସ କରୁଥିବାରୁ ଜୈବ ବିବିଧତା, ପରିବେଶ ସନ୍ତୁଳନ ଓ ମୃତ୍ତିକା ଉର୍ବରତା ବଢ଼ାଇ ଥାଏ। ଫଳରେ ପରୋକ୍ଷ ଭାବେ ଜଙ୍ଗଲ ଜୀବଜନ୍ତୁ,ସାମୁଦ୍ରିକ ଜୀବ ଖାଦ୍ୟ ରୂପେ ଗ୍ରହଣ କରି ବଂଶ ବିସ୍ତାର ପାଇଁ ସହାୟକ ହୋଇଥାଏ। ଏମାନେ ସାଧାରଣତଃ ଜୁନ୍‌, ଜୁଲାଇ ମାସରେ ମିଳନ ପର୍ବ ଆରମ୍ଭ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା, ସୁନାମୀ, ଭୂମିକମ୍ପ ଆଦି ଆସିବା ୪୮ଘଣ୍ଟା ପୂର୍ବରୁ ଏମାନେ ଉକ୍ତ ବାସସ୍ଥାନ ପରିତ୍ୟାଗ କରି ସମୁଦ୍ର କୂଳିଆ ଉଚ୍ଚ ବାଲୁକା ସ୍ତୂପକୁ ଦଳ ଦଳ ହୋଇ ଲମ୍ବା ଲମ୍ବା ଧାଡ଼ିରେ ଚାଲି ଆସନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ଜୀବ ସଂରକ୍ଷଣ ଆବାହକ ଓ ପରିବେଶବିତ ସମରେନ୍ଦ୍ର ମାହାଳି କୁହନ୍ତି, ଏହା ବହୁ ପୁରାତନ ସାମୁଦ୍ରିକ ଜୀବ, ପୂର୍ବ ଅପେକ୍ଷା ଅଦ୍ୟାବଧି ବିରଳ ପ୍ରଜାତିର ହର୍ଲି କଙ୍କଡା ବଂଶ ବିଲୁପ୍ତ ହେବାକୁ ବସିଲାଣି, ଅସନ୍ତୁଳିତ ପରିବେଶ, ଶିଳ୍ପ କାରଖାନା, ନଦୀ କୂଳ ଓ ସମୁଦ୍ର ତଟବର୍ତ୍ତୀ ଇଲାକାରେ ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡ଼ି ଘେରିର ବିଷାକ୍ତ ଉଦ୍‌ବୃତ୍ତ ଜଳ ସିଧାସଳଖ ନଦୀ ଓ ସମୁଦ୍ରରେ ମିଶିବା ଦ୍ୱାରା ଏମାନଙ୍କ ବଂଶ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଜରୁରୀ ବୋଲି କହିଛନ୍ତି।

Share