Categories: ଖେଳ

ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ସ୍ପେନ୍‌ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ମିନି ଟୁର୍ନାମେଣ୍ଟ ପାଇଁ ନିୟମିତ ଅଧିନାୟକ ମନ୍‌ପ୍ରୀତଙ୍କ ସ୍ଥାନରେ ହରମନପ୍ରୀତ୍‌ ସିଂଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ ମନ୍‌ପ୍ରୀତଙ୍କୁ ତାଙ୍କ ଡେପୁଟି ଚୟନ କରାଯାଇଛି। ପ୍ରୋ ଲିଗ୍‌ ହକିର ଏହି ପରିବର୍ତ୍ତିତ ରୂପରେଖ ଅନୁସାରେ ଭାରତ ଉଭୟ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ସହିତ ଦୁଇଟି ଲେଖାଏ ମ୍ୟାଚ ଖେଳିବ। ଅକ୍ଟୋବର ୨୮ ଓ ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ ଏବଂ ଅକ୍ଟୋବର ୩୦ ଓ ନଭେମ୍ବର ୬ରେ ସ୍ପେନ୍‌ ବିପକ୍ଷରେ ଖେଳିବ ଭାରତ। ଭାରତୀୟ ଟିମ୍‌ ଖେଳାଳିଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି ା ଏହି କାରଣରୁ ଟିମ୍‌ ମ୍ୟାନେଜମେଣ୍ଟ ପ୍ରୋ ଲିଗ୍‌ ହକିର ପ୍ରଥମ ୪ ମ୍ୟାଚ ପାଇଁ ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ବୋଲି କହିଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ଏହା ସହ ଭାରତୀୟ ଦଳରେ ଏକାଧିକ ନୂତନ ଚେହେରା ଦେଖିବାକୁ ମିଳିବ। ଏଫ୍‌ଆଇଏଚ୍‌-୫ ଟୁର୍ନାମେଣ୍ଟରେ ହାଇଏଷ୍ଟ ସ୍କୋରର ରହିଥିବା ମହମ୍ମଦ ରାହିଲ୍‌ ମୌସିନଙ୍କୁ ପ୍ରଥମ ଥର ଭାରତୀୟ ଦଳକୁ ଡକରା ମିଳିଥିବା ବେଳେ ଶେଷ ଥର ପାଇଁ ଜାକାର୍ତ୍ତାରେ ଏସିଆ କପ୍‌ ଖେଳିଥିବା ଏସ୍‌ କର୍ଥତ୍ଙ୍କୁ ମଧ୍ୟ ଡକରା ମିଳିଛି। ଲାଉସାନ୍ନେରେ ଜୁନ୍‌ରେ ଖେଳା ଯାଇଥିବା ଏଫ୍‌ଆଇଏଚ୍‌-୫ ଟୁର୍ନାମେଣ୍ଟ ଓ ଚଳିତ ରାଜକୋଟ ଜାତୀୟ କ୍ରୀଡାରେ ରାହିଲ ସର୍ବାଧିକ ସ୍କୋରର ରହିବା ସହିତ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଏହି ୪ଟି ଯାକ ମ୍ୟାଚ୍‌ ଖେଳାଯିବ। ସମାନ ଷ୍ଟାଡିୟମରେ ଜାନୁୟାରୀ ୨୦୨୩ରେ ହକି ବିଶ୍ୱକପ୍‌ ମଧ୍ୟ ଖେଳାଯିବ।
ଭାରତୀୟ ଦଳ
ଗୋଲକିପର: ପି. ଆର. ଶ୍ରୀଜେସ୍‌, କ୍ରିଶନ୍‌ ବାହାଦୁର ପାଠକ। ଡିଫେଣ୍ଡର: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନପ୍ରୀତ ସିଂ, ଅମିତ ରୋହିଦାସ, ଯୁଗରାଜ ସିଂ, ମନଦୀପ୍‌ ମୋର ଓ ନୀଲମ ସଞ୍ଜୀପ ଖେସ୍‌। ମିଡଫିଲ୍ଡର: ସୁମିତ, ମନପ୍ରୀତ ସିଂ, ହାର୍ଦ୍ଦିକ୍‌ ସିଂ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ସମଶେର ସିଂ, ରାଜକୁମାର ପାଲ ଓ ମହମ୍ମଦ ରାହିଲ ମୌସିନ୍‌। ଫରଓ୍ବାର୍ଡ: ମନଦୀପ୍‌ ସିଂ, ଦିଲପ୍ରୀତ୍‌ ସିଂ, ଅଭିଷେକ, ଏସ୍‌. କର୍ଥତ୍ ଓ ସୁଖଜିତ ସିଂ।

Share