Categories: ଖେଳ

ଭାରତ ସିଧା କ୍ୱାର୍ଟରଫାଇନାଲ ଖେଳିବ

ନୂଆଦିଲ୍ଲୀ,୨୯ା୭: ଏସିଆନ ଗେମ୍ସ ମହିଳା କ୍ରିକେଟ ପ୍ରତିଯୋଗିତା ପାଇଁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବ। ଆଇସିସି ଦ୍ୱାରା ଦୁଇଟି ମ୍ୟାଚରୁ ସସ୍‌ପେଣ୍ଡ ହୋଇଥିବାରୁ ଦଳ ଯଦି ଫାଇନାଲରେ ପ୍ରବେଶ କରେ ତେବେ ଅଧିନାୟିକା ହରମନପ୍ରୀତ ଏଥିରେ ଖେଳିପାରିବେ। ଚାଇନାର ହାଙ୍ଗଝୋଠାରେ ଏସିଆନ ଗେମ୍ସ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି। ଉଭୟ ମହିଳା ଓ ପୁରୁଷ ଇଭେଣ୍ଟରେ ଚାରୋଟି ଦଳ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସିଧାସଳଖ କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ଖେଳିବେ। ଜୁନ୍‌ ୧ରେ ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ଭିତ୍ତିରେ ଦଳଗୁଡ଼ିକ ଏହି ସୁଯୋଗ ପାଇଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ଏକ ଅନ୍ତର୍ଜାତୀୟ ଦିନିକିଆ ଗେମ୍‌ ପରେ ସାଧାରଣରେ ଦେଇଥିବା ମନ୍ତବ୍ୟକ୍‌ୁ ନେଇ ହରମନପ୍ରୀତ ଦୁଇଟି ମ୍ୟାଚରୁ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ସେ କ୍ୱାର୍ଟରଫାଇନାଲ କିମ୍ବା ସେମିଫାଇନାଲରେ ଖେଳିପାରିବେ ନାହିଁ। ଏପରିକି ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱାଧୀନ ପୁରୁଷ ଦଳ ଜୁନ୍‌ ୧ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ଭିତ୍ତିରେ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବ। ପୁରୁଷ ଇଭେଣ୍ଟ ୧୮ଟି ଦଳକୁ ନେଇ ହେବାକୁଥିବା ବେଳେ ମହିଳା ଇଭେଣ୍ଟ ୧୪ଟି ଦଳକୁ ନେଇ ହେବ। ମହିଳା ପ୍ରତିଯୋଗିତା ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁଥିବା ଥିବା ବେଳେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ମ୍ୟାଚଗୁଡ଼ିକ ସହ ଏହା ସେପ୍ଟେମ୍ବର ୨୬ରେ ଶେଷ ହେବ। ପୁରୁଷ ଇଭେଣ୍ଟ ସେପ୍ଟେମ୍ବର ୨୮ରେ ଆରମ୍ଭ ହେବାକୁଥିବା ବେଳେ ଫାଇନାଲ ଅକ୍ଟୋବର ୭ରେ ଖେଳାଯିବ। ଏହାର ଦୁଇ ଦିନ ପରେ ଆଇସିସି ୫୦-ଓଭର ବିଶ୍ୱକପ୍‌ ଅହମଦାବାଦଠାରେ ଆରମ୍ଭ ହେବ।

Share