Categories: ଖେଳ

ହରମନ୍‌ପ୍ରୀତ୍‌, ଲଭଲିନା ଧ୍ୱଜା ବାହକ

ନୂଆଦିଲ୍ଲୀ, ୨୧ା୯ (ପି.ଟି.):ଏସିଆନ୍‌ ଗେମ୍ସ ୨୦୨୩ ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨୩ରୁ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ଭାରତର ଧ୍ୱଜାବାହକ ଭାବରେ ଘୋଷଣା କରାଯାଇଛି। ବୁଧବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ(ଆଇଓଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ ଉଦ୍‌ଘାଟନୀ ଉତ୍ସବରେ ଉଭୟ ଖେଳାଳି ଭାରତର ଜାତୀୟ ପତାକା ଧରିବାର ସୁଯୋଗ ପାଇବେ। ଭାରତ ଚଳିତ ଥର ୬୫୫ ଜଣ ଆଥଲେଟଙ୍କୁ ପଠାଇଛି। ଏସିଆନ୍‌ ଗେମ୍ସ ଇତିହାସରେ ଏହା ଭାରତର ସବୁଠାରୁ ବଡ ଦଳ।

ଆଇଓଏରେ ଦୀର୍ଘ ସମୟ ଆଲୋଚନା ପରେ ଏହି ଦୁଇ ଖେଳାଳିଙ୍କ ନାମ ଚୟନ ହୋଇଥିବା ନେଇ ଭାରତୀୟ ଦଳର ଚେଫ୍‌ ଡେ ମିଶନ୍‌ ଭୂପେନ୍ଦ୍ର ସିଂ ବାଜଓ୍ବା ଘୋଷଣା କରିଛନ୍ତି। ୨୦୧୮ ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ନୀରଜ ଚୋପ୍ରା ଭାରତର ଧ୍ୱଜାବାହକ ରହିଥିଲେ। ପ୍ରଥମ ଥର ପାଇଁ ଉଭୟ ପୁରୁଷ ଓ ମହିଳା ଆଥଲେଟଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଦୁଇ ଜଣ ଧ୍ୱଜାବାହକଙ୍କ ନାମ ଘୋଷଣା କରାଯାଇଛି ବୋଲି କହିଛନ୍ତି ବାଜଓ୍ବା।

ମହିଳା ବକ୍ସର ଲଭଲିନା ଟୋକିଓ ୨୦୨୦ରେ ୬୯ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଚଳିତ ବର୍ଷ ୭୫ କିଗ୍ରାର ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟ ପକ୍ଷରେ ହରମନ୍‌ପ୍ରୀତ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡ୍ରାଗ୍‌ ଫ୍ଲିକର୍‌ ହରମନ୍‌ପ୍ରୀତ୍‌ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ରହିଥିଲେ। ୪ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ ପୁରୁଷ ହକି ଦଳ ଏକ ଅଲିମ୍ପିକ୍ସ ପଦକ ହାସଲ କରିଥିଲା। ହାଙ୍ଗଝୋ ଏସିଆନ୍‌ ଗେମ୍ସରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ସହିତ ସିଧାସଳଖ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛି। ଚଳିତ ଏସିଆନ୍‌ ଗେମ୍ସ ପାଇଁ ବାଜଓ୍ବାଙ୍କୁ ଚେଫ୍‌ ଡେ ମିଶନ ନିଯୁକ୍ତ କରାଯାଇଥିବା ବେଳେ ୪ ଜଣ ଡେପୁଟୀ ତାଙ୍କୁ ସହାୟତା କରିବେ।

Share