Categories: ଖେଳ

ହରମନପ୍ରୀତ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୮ା୧୦(ପି.ଟି.): ଭାରତ ଡିଫେଣ୍ଡର ହରମନପ୍ରୀତ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ପୁରୁଷ ବିଭାଗରେ ଲଗାତର ଭାବେ ଦୁଇ ବର୍ଷ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହେବାରେ ୨୬ ବର୍ଷୀୟ ହରମନପ୍ରୀତ ବିଶ୍ୱର ୪ର୍ଥ ଖେଳାଳି। ଏଲିଟ୍‌ ତାଲିକାରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ଟିଅନ୍‌ ଡି’ ନୁଇଜର (ନେଦରଲାଣ୍ଡ୍ସ), ଜେମି ଓ୍ବେର୍‌ (ଅଷ୍ଟ୍ରେଲିଆ) ଓ ଆର୍ଥର ଭାନ୍‌ ଡୋରେନ୍‌ (ବେଲଜିୟମ)। ହରମନପ୍ରୀତ ଆଧୁନିକ ହକିର ଜଣେ ସୁପରଷ୍ଟାର। ତାଙ୍କ ଡ୍ରିବ୍‌ଲିଂ ସ୍କିଲ ଉଚ୍ଚକୋଟୀର ବୋଲି ଏଫ୍‌ଆଇଏଚ୍‌ କହିଛି। ଭୋଟିଂରେ ହରମନପ୍ରୀତ ସର୍ବାଧିକ ୨୯.୪ ପଏଣ୍ଟ ପାଇଥିବା ବେଳେ ତାଙ୍କ ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଏରୀ ବ୍ରିଙ୍କ୍‌ମ୍ୟାନ (୨୩.୬) ଓ ଟମ୍‌ ବୁନ୍‌ (୨୩.୪) ରହିଥିଲେ। ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୧-୨୨ରେ ଭାରତ ଉପଅଧିନାୟକ ୧୬ ଗେମ୍‌ରେ ୧୮ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ତାଙ୍କର ଦୁଇଟି ହ୍ୟାଟ୍ରିକ ରହିଛି। ଏହି ୧୮ ଗୋଲ ସହ ସିଜନ ଶେଷରେ ସେ ଭାରତର ଟପ୍‌ ସ୍କୋରର ରହିଥିଲେ। ଗୋଟିଏ ସିଜନରେ ପ୍ରୋ-ଲିଗ୍‌ରେ ଜଣେ ଖେଳାଳି ହିସାବରେ ଅଧିକ ଗୋଲ ସ୍କୋର କରିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିଥିଲେ। ହରମନପ୍ରୀତ ଆହୁରି ମଧ୍ୟ ଏସିଆନ ଚାମ୍ପିୟନଶିପ୍‌ରେ ଚମତ୍କାର ଫର୍ମରେ ଥିଲେ। ଏଥିରେ ସେ ୬ଟି ଗେମ୍‌ରେ ୮ ଗୋଲ ସ୍କୋର କରିଥିଲେ। ପ୍ରତିଟି ଗେମ୍‌ରେ ସେ ଗୋଲ ସ୍କୋର କରିଥିଲେ ା ଫଳରେ ଭାରତ ଫୋଡିୟମ ଫିନିଶ କରିପାରିଥିଲା। ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ଦଳର ରୌପ୍ୟ ପଦକ ହାସଲରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ଫେଲିସ୍‌ ଆଲବର୍ସ ଶ୍ରେଷ୍ଠ
ମହିଳା ବିଭାଗରେ ନେଦରଲାଣ୍ଡ୍ସର ଫେଲିସ୍‌ ଆଲବର୍ସ ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ଜର୍ମାନୀ ନାତାସ୍କା କେଲର (୧୯୯୯)ଙ୍କ ପରେ ୨୨ ବର୍ଷୀୟା ଭାରତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର (ମହିଳା କାଟେଗୋରି) ପାଇଛନ୍ତି। ୧୯୯୮ରେ ଏହି ପୁରସ୍କାର ପ୍ରଚଳନ ହେବା ପରେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହିସାବରେ ସେ ଏହି ସମ୍ମାନ ପାଇଛନ୍ତି। ଫେଲିସ୍‌ ୨୯.୧ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମାରିଆ ଗ୍ରାନାଟୋ (୨୬.୯ ପଏଣ୍ଟ) ଓ ଅଗଷ୍ଟିନା ଗୋର୍ଜେଲାନି (୧୬.୪ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଫେଲିସ୍‌ ୨୦୧୯ରେ ଡଚ୍‌ ଜାତୀୟ ଦଳରେ ସ୍ଥାନ ପାଇବା ପୂର୍ବରୁ ଜୁନିୟର ସ୍ତରରେ ମିଡ୍‌ଫିଲ୍‌ଡ ଓ ଆଟାକ୍‌ ପୋଜିଶନରେ ଖେଳିଥିଲେ। ସିନିୟର ଦଳରେ ଯୋଗଦାନ କରିବା ପରେ ସେ ୩୨ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୬ ଗୋଲ୍‌ ସ୍କୋର କରିଛନ୍ତି।

Share