Categories: ଖେଳ

ହରମନପ୍ରୀତ୍‌, ରିଜଓ୍ବାନ ହେଲେ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୦।୧୦: ଭାରତ ଅଧିନାୟିକା ହରମନପ୍ରୀତ୍‌ କୌର ଏବଂ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସେପ୍ଟେମ୍ବର ମାସ ପାଇଁ ମହିଳା ଓ ପୁରୁଷ ବିଭାଗରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ହରମନପ୍ରୀତ ଏହି ପୁରସ୍କାର ପାଇଛନ୍ତି। ଭାରତୀୟ ଅଧିନାୟିକା ପୁରସ୍କାର ଦୌଡ଼ରେ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା ଓ ବାଂଲାଦେଶର ନିଗାର ସୁଲତାନାଙ୍କୁ ପଛରେ ପକାଇଛନ୍ତି। ସେପ୍ଟେମ୍ବରରେ ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା। ହରମନପ୍ରୀତଙ୍କ ପାଇଁ ଏହା ସ୍ମରଣୀୟ ମାସ ରହିଥିଲା। କେବଳ ବ୍ୟାଟିଂ ନୁହେଁ ତାଙ୍କ ନେତୃତ୍ୱରେ ଇଂଲଣ୍ଡରେ ଭାରତ ୩-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା।

ପୁରୁଷ ବିଭାଗ ପୁରସ୍କାର ଦୌଡ଼ରେ ରିଜଓ୍ବାନ ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ ଓ ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର କାମେରୁନ୍‌ ଗ୍ରୀନ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଟି୨୦ରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା। ଗତ ମାସରେ ସେ ଖେଳିଥିବା ୧୦ଟି ମ୍ୟାଚରେ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। ମାସ ଆରମ୍ଭରୁ ସେ ଏସିଆ କପ୍‌ରେ ହଂକଂ ଓ ଭାରତ ବିପକ୍ଷରେ ଦୁଇଥର ୭୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ସେ ଆଉ ଏକ ଅର୍ଦ୍ଧଶତକ ସହ ଟୁର୍ନାମେଣ୍ଟ ଶେଷ କରିବା ସହ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ବିବେଚିତ ହୋଇଥିଲେ।

Share