Categories: ଖେଳ

ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ

ନୂଆଦିଲ୍ଲୀ, ୨୧। ୯: ଏସିଆନ୍‌ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କ ସହ ସଂଯୁକ୍ତ ଭାବେ ଧ୍ବଜାବାହକ ହେବା ଗର୍ବର ବିଷୟ ବୋଲି ହରମନପ୍ରିତ୍ କହିଛନ୍ତି। ବଡ ଟୁର୍ନାମେଣ୍ଟରେ ଦେଶର ପ୍ରତିନିଧିତ୍ବ କରିବାର ଏହା ସୁଯୋଗ ମଧ୍ୟ। ଏଥିଲାଗି ସେ ଭାବ ବିଭୋର ହୋଇଥିବା କହିଛନ୍ତି।

ପ୍ରକାଶ ଯେ, ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ହରମନ୍‌ପ୍ରୀତ୍‌ ଓ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ଭାରତର ଧ୍ୱଜାବାହକ ଭାବରେ ଘୋଷଣା କରାଯାଇଛି। ବୁଧବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ(ଆଇଓଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ ଉଦ୍‌ଘାଟନୀ ଉତ୍ସବରେ ଉଭୟ ଖେଳାଳି ଭାରତର ଜାତୀୟ ପତାକା ଧରିବାର ସୁଯୋଗ ପାଇବେ। ଭାରତ ଚଳିତ ଥର ୬୫୫ ଜଣ ଆଥଲେଟଙ୍କୁ ପଠାଇଛି। ଏସିଆନ୍‌ ଗେମ୍ସ ଇତିହାସରେ ଏହା ଭାରତର ସବୁଠାରୁ ବଡ ଦଳ।

ଆଇଓଏରେ ଦୀର୍ଘ ସମୟ ଆଲୋଚନା ପରେ ଏହି ଦୁଇ ଖେଳାଳିଙ୍କ ନାମ ଚୟନ ହୋଇଥିବା ନେଇ ଭାରତୀୟ ଦଳର ଚେଫ୍‌ ଡେ ମିଶନ୍‌ ଭୂପେନ୍ଦ୍ର ସିଂ ବାଜଓ୍ବା ଘୋଷଣା କରିଛନ୍ତି। ୨୦୧୮ ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ନୀରଜ ଚୋପ୍ରା ଭାରତର ଧ୍ୱଜାବାହକ ରହିଥିଲେ। ପ୍ରଥମ ଥର ପାଇଁ ଉଭୟ ପୁରୁଷ ଓ ମହିଳା ଆଥଲେଟଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଦୁଇ ଜଣ ଧ୍ୱଜାବାହକଙ୍କ ନାମ ଘୋଷଣା କରାଯାଇଛି ବୋଲି କହିଛନ୍ତି ବାଜଓ୍ବା।

Share