Categories: ଖେଳ

ପରାଜୟକୁ ନେଇ ଚିନ୍ତାରେ ହରମନ୍‌ପ୍ରୀତ୍‌

ବର୍ମିଂହାମ୍‌,୯ା୮ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ମହିଳା କ୍ରିକେଟ ସାମିଲ ହୋଇଥିବା ବେଳେ ରୌପ୍ୟ ପଦକ ବିଜୟୀ ହୋଇଥିଲା ଭାରତ। ତେବେ ଫାଇନାଲ ମ୍ୟାଚ୍‌ରେ ପରାଜୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଅଧିନାୟିକା ହରମନପ୍ରୀତ୍‌ କୌର୍‌। ଭାରତ ବିଗତ କିଛିବର୍ଷ ଭିତରେ ଟାଇଟଲ ଲଢ଼େଇରେ ଅନେକ ଭୁଲ୍‌ କରିଛି। ଏହି ଭୁଲ୍‌ଗୁଡିକ ସୁଧାରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ୨୦୧୭ ଦିନିକିଆ ବିଶ୍ୱକପ୍‌ ଫାଇନାଲ ହେଉ କି ୨୦୨୦ ଟି୨୦ ଟାଇଟଲ ଲଢ଼େଇ ସବୁଥିରେ ଭାରତ ଚାପର ବଶବର୍ତ୍ତୀ ହୋଇ ପରାଜିତ ହେଉଛି। ପ୍ରତି ଫାଇନାଲ ମୁକାବିଲାରେ ଭାରତ ମାନସିକ ଚାପର ବଶବର୍ତ୍ତୀ ହୋଇ ପରାସ୍ତ ହେଉଥିବା ବେଳେ ଆଗାମୀ ଦିନରେ ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ଭାରତୀୟ ବୋଲରମାନେ ଠିକ୍‌ ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଗଭୀର ଭାବରେ ପ୍ରଭାବିତ ହେଉଛି। ଲିଗ୍‌ ପର୍ଯ୍ୟାୟ କିମ୍ବା ଦ୍ୱିପାକ୍ଷିକ ସିରିଜ୍‌ରେ ଭାରତର ପ୍ରଦର୍ଶନ ଆଉ ଫାଇନାଲ ପ୍ରଦର୍ଶନ ଭିତରେ ଆକାଶ ପାତାଳ ଫରକ ରହୁଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଅନ୍ତିମ ୬ ଓଭରରୁ ୫୦ ରନ୍‌ ଆବଶ୍ୟକ ଥିବା ବେଳେ ହାତରେ ୮ ଉଇକେଟ ରହିଥିଲା। ଏପରି ସ୍ଥିତିରେ ମାତ୍ର ୧୩ ରନ୍‌ ମଧ୍ୟରେ ଅନ୍ତିମ ୫ ଉଇକେଟ ହରାଇବା ସହିତ ଦଳ ପରାଜିତ ହୋଇଥିଲା। ହରମନ୍‌ପ୍ରୀତ ଏବଂ ଜେମିମା ରୋଡ୍ରିଗ୍ବେଜଙ୍କ ମଧ୍ୟରେ ୯୬ ରନ୍‌ର ଭାଗୀଦାରି ହୋଇଥିଲା। ତେବେ ଉଭୟଙ୍କ ଉଇକେଟ ପତନ ଖରାପ ଶଟ୍‌ ସିଲେକ୍ସନ୍‌ କାରଣରୁ ହୋଇଥିଲା। ତେବେ ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରକାର ଓ ସେ କ୍ରିଜ୍‌ରେ ଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି କହିଥିଲେ ହରମନ୍‌।

Share