Categories: ଖେଳ

ମା’ଙ୍କ ରେକର୍ଡ ଭାଙ୍ଗିଲେ ହରମିଲାନ

ହାଙ୍ଗଝୋ,୫ା୧୦(ପି.ଟି.): ପ୍ରଥମ ଭାରତୀୟ ମା-ଝିଅ ଯୋଡି ଭାବରେ ଏସିଆନ୍‌ ଗେମ୍ସ ପଦକ ବିଜୟୀ ହେବାର ରେକର୍ଡ କରିଛନ୍ତି ହରମିଲାନ ବେନ୍ସ ଓ ମାଧୁରୀ। ୨୦୦୨ ମସିହାରେ ମା’ ମାଧୁରୀ ଭାରତ ପାଇଁ ୮୦୦ ମିଟର ରେସ୍‌ରେ ଏକ ପଦକ ବିଜୟୀ ହୋଇଥିବା ବେଳେ ଚଳିତ ବର୍ଷ ଦୁଇ ଦୁଇଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି ହରମିଲାନ୍‌। ୨୫ ବର୍ଷୀୟା ହରମିଲାନ ୧୫୦୦ ମିଟର ଦୌଡରେ ରୌପ୍ୟ ପଦକ ବିଜୟୀ ହୋଇଥିବା ବେଳେ ବୁଧବାର ୮୦୦ ମିଟର ଦୌଡରେ ସେ ନିଜର ଦ୍ୱିତୀୟ ରୌପ୍ୟ ପଦକ ଜିତି ମା’ଙ୍କ ରେକର୍ଡ ଭାଙ୍ଗିଛନ୍ତି।

ମାଧୁରୀ ୨୦୦୨ ବୁସାନ୍‌ ଗେମ୍ସରେ ରୌପ୍ୟ ହାସଲ କରିଥିବା ବେଳେ ଦୁଇଟି ରୌପ୍ୟ ପଦକ ସହିତ ମା’ଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ହରମିଲାନ୍‌। ୮୦୦ ମିଟର ରେସ୍‌ରେ ୨:୦୩.୭୫ ସେକେଣ୍ଡର ଟାଇମିଂ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରେସ୍‌ ଆରମ୍ଭରୁ ହରମିଲାନ୍‌ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଅନ୍ତିମ ୧୦ ମିଟରରେ ସେ ଚାଇନାର ଦୁଇ ଆଥଲେଟଙ୍କୁ ପଛରେ ପକାଇଥିଲେ। ଶ୍ରୀଲଙ୍କାର ଥାରୁସି ଦିସାନାୟକ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନାର ଚ୍ୟୁଙ୍ଗ ଓ୍ବାଙ୍ଗ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨:୦୫.୬୯ ସେକେଣ୍ଡର ଟାଇମିଂ ସହିତ ଅନ୍ୟତମ ରେସର୍‌ ଚନ୍ଦା ସପ୍ତମ ସ୍ଥାନରେ ରହିଥିଲେ।

Share