Categories: ଖେଳ

ବ୍ରୁକ୍‌, ଗାର୍ଡନର ଶ୍ରେଷ୍ଠ ଖେଳାଳି

ଦୁବାଇ, ୧୧ା୧ (ପି.ଟି.): ହ୍ୟାରି ବ୍ରୁକ୍ସ ପ୍ରଥମ ଥର ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ପାକିସ୍ତାନରେ ଐତିହାସିକ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ସିରିଜ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନରଙ୍କୁ ଆଇସିସି ମହିଳା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ଭାରତ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ସେ ଆଇସିସି ପ୍ଲେୟର ର଼୍ୟାଙ୍କିଙ୍ଗ ଅଲରାଉଣ୍ଡର ବିଭାଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇପାରିଛନ୍ତି। ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ଭୋଟ୍‌ ହୋଇଥିଲା। ଏଥିରେ ମିଡିଆ ପ୍ରତିନିଧି, ଆଇସିସି ହଲ୍‌ ଅଫ୍‌ ଫେମ୍‌ ସଦସ୍ୟ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଏବଂ ଆଇସିସି କ୍ରିକେଟ ଡଟ୍‌କମ୍‌ରେ ପଞ୍ଜୀକୃତ କ୍ରିକେଟପ୍ରେମୀମାନେ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ପାକିସ୍ତାନରେ ଇଂଲଣ୍ଡର ୩-୦ ସିରିଜ ବିଜୟରେ ବ୍ରୁକ୍‌ ପ୍ରତ୍ୟେକ ମ୍ୟାଚରେ ଶତକ ହାସଲ କରିଥିଲେ। ରାଓ୍ବଲପିଣ୍ଡିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୯୧ ଚୌକା ଓ ୫ ଛକା ସହ ୧୫୩ ରନ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଦ୍ରୁତ ୮୭ ରନ କରିଥିଲେ। ପରେ ମୁଲ୍‌ତାନ ଓ କରାଚୀଠାରେ ସେ ତାଙ୍କ ଶତକୀୟ ଇନିଂସରେ ଯଥାକ୍ରମେ ୧୦୮ ଓ ୧୧୧ ରନ ସଂଗ୍ରହ କରିିଥିଲେ। ଅନ୍ୟପକ୍ଷରେ ଗତ ମାସରେ ଭାରତ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ ବିଜୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ପ୍ରତିଭାସମ୍ପନ୍ନ ଅଲ୍‌ରାଉଣ୍ଡର ଗାର୍ଡନର ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬୬.୬୬ ଆଭରେଜରେ ମୋଟ ୧୧୫ ରନ ସଂଗ୍ରହ କରିଥିଲେ।

Share