ଉପାଧି ଫେରିପାଇବେ କି ହ୍ୟାରି, ମେଘାନ

ଲଣ୍ଡନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ ପୁଅ ଚାଲର୍‌ସ ବ୍ରିଟେନ୍‌ ରାଜା ହୋଇଥିବା ବେଳେ ଏବେ ପ୍ରିନ୍ସ ହ୍ୟାରି ଏବଂ ସ୍ତ୍ରୀ ମେଘାନ ମର୍କେଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଈ ମା’ ଏଲିଜାବେଥ୍‌ ମହାରାଣୀ ଥିବାରୁ କିଙ୍ଗ୍‌ ଚାଲର୍‌ସଙ୍କ ପୁଅ ହ୍ୟାରିଙ୍କୁ ବ୍ରିଟେନ୍‌ ରାଜତନ୍ତ୍ର ଉପାଧି ମିଳି ନ ଥିଲା। ହେଲେ ଏବେ ବାପା ନୂଆ କିଙ୍ଗ୍‌ ହେବା ପରେ ହ୍ୟାରି ରୟାଲ ଟାଇଟଲ ପାଇପାରିବେ ବୋଲି କୁହାଯାଉଛି। ଚାଲର୍‌ସ ତାଙ୍କ ବଡ଼ ପୁଅ ତଥା ଡ୍ୟୁକ୍‌ ଅଫ୍‌ କେମ୍ବ୍ରିଜ୍‌ ଓ୍ବିଲିୟମଙ୍କୁ ପ୍ରିନ୍ସ ଓ୍ବେଲ୍ସ ଘୋଷଣା କରିଛନ୍ତି। ଏହି କ୍ରମରେ ପ୍ରିନ୍ସ ଓ୍ବିଲିୟମଙ୍କ ସ୍ତ୍ରୀ କେଟ୍‌ ମିଡିଲ୍‌ଟନ ଓ୍ବେଲ୍ସର ପ୍ରିନ୍ସେସ୍‌ ହୋଇଛନ୍ତି। ୨୦୧୮ରେ ଚାଲର୍‌ସଙ୍କ ସାନପୁଅ ହ୍ୟାରି ଆମେରିକୀୟ ଅଭିନେତ୍ରୀ ତଥା ମଡେଲ ମେଘାନ୍‌ ମର୍କେଲଙ୍କୁ ବିବାହ କରିଥିଲେ। ହ୍ୟାରି ଡ୍ୟୁକ୍‌ ଅଫ୍‌ ସସେକ୍ସ ହୋଇଥିବାବେଳେ ମର୍କେଲଙ୍କୁ ଡଚେସ୍‌ ଅଫ୍‌ ସସେକ୍ସ ମାନ୍ୟତା ମିଳିଥିଲା। ୨୦୨୦ରେ ଅଧିକ ଆର୍ଥିକ ସ୍ବାଧୀନତା ପାଇଁ ଉଭୟେ ରାଜପରିବାର ଓ ରାଜକାର୍ଯ୍ୟ ଛାଡ଼ିଥିଲେ। ଉଭୟେ ଆମେରିକାର କାଲିଫର୍ନିଆରେ ରହୁଛନ୍ତି। ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ ତାଙ୍କ ଶେଷଦର୍ଶନ ପାଇଁ ମେଘାନ ଆସି ନ ଥିଲେ। ଏହାକୁ ନେଇ କିଙ୍ଗ୍‌ ଚାଲର୍‌ସ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିଟେନର ଶାସନ କ୍ଷମତା ଚାଲର୍‌ସଙ୍କ ହାତକୁ ଆସିବା ପରେ ହ୍ୟାରି ଓ ମେଘାନ ପୁନର୍ବାର ରାଜ ପରିବାରକୁ ଫେରିପାରନ୍ତି ବୋଲି କୁହାଯାଉଛି। ହ୍ୟାରି ଓ ମେଘାନ ନ ଫେରିଲେ ବି ତାଙ୍କ ସନ୍ତାନ ରାଜ ଉପାଧି ପାଇପାରିବେ।

Share