Categories: ଜାତୀୟ

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଯୋଗ ଗୁରୁ ରାମଦେବଙ୍କ ବିବୃତ୍ତି କରୋନା ଯୋଦ୍ଧାମାନଙ୍କୁ ଅସମ୍ମାନ। ଏହା ଦେଶର ଭାବନାକୁ ଗଭୀର ଆଘାତ ଦେଇଛି। ତେଣୁ ସେ ନିଜର ଆପତ୍ତିଜନକ ବିବୃତ୍ତି ପ୍ରତ୍ୟାହାର କରନ୍ତୁ।
ସୂଚନାଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ଦୁଇ ମିନିଟର ୧୯ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବାବା ରାମଦେବ ତାଙ୍କ ଫୋନରେ ମେସେଜ୍‌ ପଢୁଥିବା ନଜର ଆସିଛନ୍ତି। ମେସେଜ୍‌ରେ ଏଲୋପାଥିକ ଓଷଧ ଉପରେ ସେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସମସ୍ତ ଏଲୋପାଥିକ ଔଷଧ ବିଫଳ ହୋଇଛି। ଜ୍ୱର ପାଇଁ ମଧ୍ୟ ଔଷଧ କାମ କରୁନାହିଁ। ଔଷଧ ଶରୀରର ତାପମାତ୍ରାକୁ ହ୍ରାସ କରିଥାଏ, କିନ୍ତୁ ଜ୍ୱର କାହିଁକି ଆସୁଛି, ଏହାକୁ ରୋକାଯାଇପାରିବ ନାହିଁ। ଭିଡିଓରେ ବାବା ରାମଦେବ କହିଛନ୍ତି ଯେ ଏଲୋପାଥିକ ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ହର୍ଷବର୍ଦ୍ଧନ ରବିବାର କହିଛନ୍ତି,ଏଲୋପାଥିକ ଓଷଧ ଏବଂ ଡାକ୍ତରଙ୍କ ଉପରେ ଦେଇଥିବା ମନ୍ତବ୍ୟ ଦ୍ୱାରା ଦେଶବାସୀ ଗଭୀର ଆଘାତ ପାଇଛନ୍ତି। କରୋନା ବିରୋଧରେ ଦିନରାତି ଲଢୁଥିବା ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ସମଗ୍ର ଦେଶବାସୀଙ୍କ ପାଇଁ ଦେବତୁଲ୍ୟ ଅଟନ୍ତି। ରାମଦେବ କେବଳ କରୋନା ଯୋଦ୍ଧାଙ୍କୁ ଅସମ୍ମାନ କରିନାହଁାନ୍ତି, ବରଂ ଦେଶବାସୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛନ୍ତି ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଦୃଢ ଆପତ୍ତି ଉଠାଇଛି। ରାମଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଦାବି କରିଛି।

 

Share