Categories: ଖେଳ

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୦ ଜୁନ୍‌ରୁ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟଟି ଗୁଗୁଲ ମିଟ୍‌ ଜରିଆରେ ଉଦ୍‌ଘାଟିତ ହୋଇଥିଲା। ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରଜିତ୍‌ ସେନାପତି ଓ ଟ୍ରାଇଡେଣ୍ଟ ଏକାଡେମୀର ବିବିଏ ବିଭାଗ ମୁଖ୍ୟ ଡ. ନର୍ଗିସ୍‌ ବେଗମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ୍‌ ନିର୍ଦ୍ଦେଶକ ଦୀପକ କୁମାର ପଲାଇ ଉପସ୍ଥିତ ଥିଲେ।
ସିନିୟର ବର୍ଗରେ ୨୫ ମ୍ୟାଚରୁ ୨୧ ବିଜୟ ସହିତ କଟକର ସେଣ୍ଟ ଜାଭିୟର୍ସର ହର୍ଷିତ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନ୍ଦ୍ରାପଡାର ଅଭୟ କୁମାର ଦାସ ୨୫ ମ୍ୟାଚ୍‌ରୁ ୧୫ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଟକର ରବୀନ୍ଦ୍ର କୁମାର ଓଝା ୨୭ ମ୍ୟାଚ୍‌ରୁ ୧୬ ବିଜୟ ସହ ତୃତୀୟ ସ୍ଥାନରେ ରହିଥିଲେ। ୯ ବର୍ଷରୁ କମ୍‌ ବୟସ ବର୍ଗରେ ସତ୍ୟଜିତ ସେନାପତି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ରେୟାଂଶ ଜଗନାନୀ, ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ଅର୍ଣ୍ଣବ ମହାନ୍ତି ଓ ବାଳିକା ବର୍ଗରେ ପି. ନନ୍ଦିନୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। କଳାହାଣ୍ଡିର ଭୀମସେନ ପାତ୍ରଙ୍କୁ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା। ଦେବାଶିଷ ପାଣିଗ୍ରାହୀ ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।

Share