ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି ୪ଟା ପର୍ଯ୍ୟନ୍ତ ହାତୀପଲ ଗ୍ରାମବାସୀଙ୍କ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହ ମାଡ଼ି ଚକଟି ନଷ୍ଟ କରିଛନ୍ତି। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ରାତିସାରା ଅନିଦ୍ରା ହୋଇଛନ୍ତି। ସା ୬ଟା ବେଳୁ ଜଙ୍ଗଲରୁ ୪ ହାତୀ ବାହାରି ଛତିଆ ହୁଡ଼ିସାହିକୁ ଲାଗି ରହିଥିବା ଅନାଦି ସିଂହ, ବୃନ୍ଦାବନ ନାୟକ, ଦ୍ରୌପଦୀ ନାୟକ, ଗୋହ୍ମା ମୁଣ୍ଡା ଏବଂ ଲୁଙ୍ଗୁରା ମୁଣ୍ଡାଙ୍କ ଧାନ କ୍ଷେତରେ ପଶିଥିଲେ। ଘଉଡ଼ାଇବା ପାଇଁ ପାଟି କଲେ ଦଳରେ ଥିବା ଦନ୍ତା ହାତୀ ଲୋକଙ୍କୁ ମାରିବା ପାଇଁ ଘଉଡ଼ାଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଚୁପ୍‌ ରହିଥିଲେ। ଭୋର ୪ଟା ବେଳେ ହାତୀପଲ ନିକଟ ସଂରକ୍ଷିତ ବାରବାଙ୍କ ଜଙ୍ଗଲକୁ ଯିବାରୁ ଲୋକେ ଘରକୁ ଫେରିଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ, ଦୁଇଟି ମାଈ ହାତୀ ଏବଂ ଛୁଆ ହାତୀ ଥିଲା। ନରଣପୁର ଜଙ୍ଗଲରୁ ହାତୀପଲଙ୍କଠାରୁ ଅଲଗା ହୋଇ ସଂରକ୍ଷିତ ଜଙ୍ଗଲ ବାରବାଙ୍କ ଆଡ଼କୁ ଚାଲିଯାଇଛନ୍ତି।
ଆଦିବାସୀ ଚାଷୀମାନେ ଧାର କରଜ କରି ବହୁ କଷ୍ଟରେ କ୍ଷେତରେ ଧାନ ଚାଷ କରିଛନ୍ତି। ଅମଳ ସମୟରେ ସେସବୁକୁ ହାତୀପଲ ଖାଇ ଚାଷୀ ପରିବାରଙ୍କ ବର୍ଷକର ଆହାର ନଷ୍ଟ କରିଦଉଛନ୍ତି। ଫଳରେ ଗରିବ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ଏ ସମ୍ପର୍କରେ ଦେଓବନ୍ଧ ଫରେଷ୍ଟର ରାମଚନ୍ଦ୍ର ନାଏକ କହିଛନ୍ତି, ଚାଷୀମାନଙ୍କ କେତେ ଜମିର ଫସଲ ହାତୀପଲ ଖାଇ ନଷ୍ଟ କରିଛନ୍ତି, ସେନେଇ ଲିଖିତ ଭାବେ ଜଣାଇଲେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ। ଚାଷୀ କୌଣସି ପ୍ରକାର କ୍ଷତି ସହିବେ ନାହିଁ। ଏଣୁ ସେମାନେ ଲିଖିତ ଅଭିଯୋଗ କଲେ, ତଦନ୍ତ କରି ରିପୋର୍ଟ ପଠାଯିବ।