ବଲାଙ୍ଗୀର ଅଫିସ,୫।୧୦: ବଲାଙ୍ଗୀର ଜିଲାରେ ସକ୍ରିୟ ଥିବା ହରିଆଣାର ତିନି ଜଣ ଏଟିଏମ୍ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟେରାମାନେ ଅଭିନବ ଉପାୟରେ ଟଙ୍କା ଲୁଟ କରୁଥିଲେ। ସେମାନଙ୍କଠାରୁ ଦୁଇଟି ଏଟିଏମ୍ ସ୍କିମର ଓ କ୍ଲୋନିଂ ମେଶିନ ସହ ୩୭ ହଜାର ଟଙ୍କା, ୧୪ଟି ଏଟିଏମ୍ କାର୍ଡ ଜବତ କରାଯାଇଛି। ସୋମବାର ବଲାଙ୍ଗୀର ଡେଲି ମାର୍କେଟ ନିକଟ ଏଚ୍ଡିଏଫସି ଏଟିଏମରୁ ଜଣେ ଯୁବକଙ୍କଠାରୁ ଟଙ୍କା ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଇଥିଲେ। ଅଧିକ ତଦନ୍ତ କରି ପୋଲିସ ଅନ୍ୟ ଦୁଇ ଲୁଟେରାକୁ ଗିରଫ କରିଛି । ଜଣେ ଲୁଟେରା ଫେରାର ହୋଇଯାଇଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।