Categories: ଜାତୀୟ

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଟିକେଟ ନ ପାଇ ଦଳ ଛାଡିଲେ ୨ ବଡ଼ ନେତା

ଚଣ୍ଡିଗଡ,୫।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପାର ତାଲିକା ପ୍ରକାଶ ପାଇବା ମାତ୍ରେ ନେତାଙ୍କ ବିଦ୍ରୋହୀ ମନୋଭାବ ସାମ୍ନାକୁ ଆସିବା ଆରମ୍ଭ କରିଛି। ଟିକେଟ ନ ପାଇ ରାଗିଯାଇ ରାତିଆ ବିଧାୟକ ଲକ୍ଷ୍ମଣ ନାପା ଦଳରୁ ଇସ୍ତଫା ଦେଇଛନ୍ତି। ଏଥି ସହ ହରିୟାଣା ଭାଜପାର ରାଜ୍ୟ ସଭାପତି କିସାନ ମୋର୍ଚ୍ଚା ସୁଖବିନ୍ଦର ମାଣ୍ଡି ମଧ୍ୟ ଦଳ ଛାଡିବା ସହ ଇସ୍ତଫା ଦେଇଛନ୍ତି।

ଭାଜପାର ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଦଳରେ ବିଦ୍ରୋହ ତୀବ୍ର ହେବାରେ ଲାଗିଛି। ପୂର୍ବତନ ଏମ୍‌ପି ସୁନୀତା ଦୁଗଲଙ୍କୁ ରାତିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ଦିଆଯିବାରୁ ରାତିଆ ବିଧାୟକ ଲକ୍ଷ୍ମଣ ନାପା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ଦଳର ରାଜ୍ୟ ସଭାପତି ମୋହନ ଲାଲ ବାଡୋଲିଙ୍କ ନିକଟକୁ ପଠାଇଛନ୍ତି।

ସୁନୀତା ଦୁଗଲ ୨୦୧୪ରେ ଆଇଆରଏସର ସରକାରୀ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୪ରେ ଭାଜପା ତାଙ୍କୁ ରାତିଆରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ INLD ପ୍ରାର୍ଥୀ ରବିନ୍ଦ୍ର ବାଲିଆଲାଙ୍କ ଠାରୁ ମାତ୍ର ୪୫୩ ଭୋଟରେ ହାୀଯାଇଥିଲେ।

ଲକ୍ଷ୍ମଣ ନାପା ଭାଜପାରୁ ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା ଆରମ୍ଭ ହୋଇଛି। ସେ ପୂର୍ବତନ ସିଏମ ଭୁପେନ୍ଦ୍ର ସିଂ ହୁଡାଙ୍କୁ ଭେଟି କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

Share