କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମୁଖ୍ୟମନ୍ତ୍ରୀ

ଗୁରୁଗ୍ରାମ, ୧୪।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ୬୬ ବର୍ଷୀୟ ଖଟ୍ଟର ସୋମବାର ରାଜଧାନୀ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତ୍ୱ ନିୟମାବଳୀକୁ ମାନି ଚଳିବା ସହ ନିରାପଦରେ ରହିବାକୁ ଖଟ୍ଟର ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କରୋନା ଭାଇରସ୍‌କୁ ଭୟ ନ କରି ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୪ରେ ମନୋହର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଚିକିତ୍ସା ଲାଗି ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୭ ଦିନ ଧରି ଚିକିତ୍ସିତ ହେବାପରେ ଶେଷରେ ସେ ଆରୋଗ୍ୟ ଲାଭ କରିଛନ୍ତି। ସୁସ୍ଥ ହେବାପରେ ମନୋହର ଗୁରୁଗ୍ରାମସ୍ଥିତ ପିଡବ୍ଲ୍ୟୁଡିର ବିଶ୍ରାମ ଗୃହରେ କିଛିଦିନ ରହିଥିଲେ।

Share