Categories: ଜାତୀୟ

ହରିୟାଣା ସାମ୍ପ୍ରଦାୟିକ ହିଂସା :ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ,୩ା୮ : ଦିଲ୍ଲୀ ସଂଲଗ୍ନ ହରିୟାଣାରେ ସାମ୍ପ୍ରଦାୟିକ ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷା ବଳ ମୁତୟନ ଏବଂ ଘୃଣା ମନ୍ତବ୍ୟ ଉପରେ ଲଗାମ ଲଗାଇବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଦଳ ପକ୍ଷରୁ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ କରାଯାଉଥିବା ଶୋଭାଯାତ୍ରାକୁ ବନ୍ଦ କରିବାକୁ କୋର୍ଟ ମନା କରିଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି. ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଘୃଣା ମନ୍ତବ୍ୟ ବାତାବରଣକୁ ଅଧିକ ଖରାପ କରୁଛି। ତେଣୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ସଂଲଗ୍ନ କରାଯାଉ। ସିସିଟିଭି ଫୁଟେଜ୍‌ ଓ ଭିଡିଓ ରେକର୍ଡିଂକୁ ସୁରକ୍ଷିତ ରଖାଯିବ। କୌଣସି ସମ୍ପ୍ରଦାୟ ବିରୋଧରେ ଯେପରି ଘୃଣା ମନ୍ତବ୍ୟ ଦିଆ ନ ଯିବ ତାହା ପୋଲିସ ଅଧିକାରୀଙ୍କ ସମେତ ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବେ। ସେହିପରି ହିଂସା ଓ ଧନଜୀବନ ହାନି ରୋକିବା ମଧ୍ୟ ସେମାନଙ୍କ କର୍ତ୍ତବ୍ୟ। ଯେଉଁଠି ଆବଶ୍ୟକ ପର୍ଯ୍ୟାପ୍ତ ପୋଲିସ ଅଧିକାରୀ କିମ୍ବା ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯିବ। ଉତ୍ତର ପ୍ରଦେଶ, ହରିୟାଣା ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଟି) ଦିଲ୍ଲୀ ସରକାରଙ୍କୁ ଏହି ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଇବା ପାଇଁ ରେଜେଷ୍ଟ୍ରିଙ୍କୁ କୁହାଯାଇଛି। ଆସନ୍ତା ଶୁକ୍ରବାର ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

ମୋନୁଙ୍କ ସମ୍ପର୍କରେ ସୂଚନା ନାହିଁ: ଖଟ୍ଟାର

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ବୁଧବାର କହିଛନ୍ତି, ମୋନୁ ମାନେସରଙ୍କ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ରାଜସ୍ଥାନ ସରକାର ତାଙ୍କୁ ଖୋଜିବାରେ ସହଯୋଗ ଲୋଡ଼ିଲେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ସୋମବାର ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୋନୁ ମାନେସରଙ୍କୁ ରାଜସ୍ଥାନର ୨ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଯୋଧପୁର ପୋଲିସ ଗତ ଜାନୁୟାରୀରୁ ଖୋଜୁଛି।

Share