Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ଘରେ ଇଡି ରେଡ୍: ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୫।୧: ହରିୟାଣାର ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରାୟ ୩୦୦ ଗୁଳି ମିଳିଥିଲା।

ବେଆଇନ ଖଣି ଖନନ ମାମଲାରେ କଂଗ୍ରେସ ବିଧାୟକ ସୁରେନ୍ଦର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନଏଲଡି) ବିଧାୟକ ଦିଲବାଗ ସିଂ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି।

ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା। ପନୱାରଙ୍କ ମାଇନିଂ ବ୍ୟବସାୟ ମଧ୍ୟ ରହିଛି। ପ୍ରାୟ ୧୫ରୁ ୨୦ ଅଧିକାରୀ ବିଧାୟକଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଅଧିକାରୀମାନେ ବିଧାୟକଙ୍କ ପରିବାର ଏବଂ କର୍ମଚାରୀମାନଙ୍କ ମୋବାଇଲ ଜବତ କରିଥିଲେ।

ଦିଲବାଗ ସିଂ ଯମୁନାନଗରର ପୂର୍ବତନ ଆଇଏନଏଲଡି ବିଧାୟକ ହୋଇଥିବାବେଳେ ପାନୱାର ସୋନିପାଟରୁ କଂଗ୍ରେସ ବିଧାୟକ ଅଟନ୍ତି। ଗୁରୁବାର ଦିନ ଯମୁନାନଗର, ସୋନିପାଟ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଏବଂ କର୍ଣ୍ଣଲର ୨୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

 

Share