Categories: ଜାତୀୟ

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି ଟଙ୍କା । ସେହିପରି ସିଲଭର ବା ରୌପ୍ୟ ପଦକ ଜିତିଲେ ମିଳିବ ୪ କୋଟି ଟଙ୍କା ଓ ବ୍ରୋଞ୍ଚ ବା ତାମ୍ର ପଦକ ଜିତିଲେ ମିଳିବ ଅଢେଇ କୋଟି ଟଙ୍କା । ପ୍ରଥମଥର ଲାଗି ଚତୁର୍ଥ ସ୍ଥାନରେ ରହିଲେ ବି ପୁରସ୍କାର ଦେବେ ହରିୟାଣା ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାକୁ ଏଥର ସରକାର ଚତୁର୍ଥ ସ୍ଥାନରେ ଥିବା ଖେଳାଳିଙ୍କୁ ମଧ୍ୟ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଏହା ପ୍ରତ୍ୟେକ ଆଥଲେଟ ବା ଖେଳାଳିଙ୍କୁ ମିଳିବ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ଭାରତୀୟ ମହିଳା ହକି ଟିମ୍ ଯେଉଁଭଳି ଭାବେ ପ୍ରଦର୍ଶନ କଲେ ତାହା ତାଙ୍କୁ ପସନ୍ଦ ଆସିଛି । ସେ ଖେଳାଳିଙ୍କୁ ପ୍ରଶଂସା କରିବା ସହ ପଦକ ନ ଜିତିଲେବି ହରିୟାଣା ସରକାର ରାଜ୍ୟର ୯ ଜଣ ଖେଳାଳିଙ୍କୁ ୫୦-୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ । ତେବେ ପଦକ ଜିତିଥିବା ଖେଳାଳିଙ୍କୁ ମନୋହର ଲାଲ ଖଟ୍ଟର ସରକାର ସରକାରୀ ଚାକିରି ସହ ଗୋଟିଏ ଗୋଟିଏ ଫ୍ଲାଟ ଦେବେ ବୋଲି ଗୁରୁବାର ଘୋଷଣା କରିଥିଲେ ।

Share