ଚଣ୍ଡିଗଡ,୧୫।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସେହି ଦିନ ହରିୟାଣାରେ ମଦ ଦୋକାନ ବନ୍ଦ ରହିବ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୋମବାର ଏହି ଘୋଷଣା କରିଛନ୍ତି। ଚଣ୍ଡିଗଡରେ ଏକ କାର୍ଯ୍ୟକ୍ରମ ଅବସରରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି , ଜାନୁଆରୀ ୨୨ରେ ମଦ ଦୋକାନ ବନ୍ଦ ରହିବ। ଏଥିପାଇଁ ସେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ଶାସିତ ରାଜ୍ୟରେ ଜାନୁଆରୀ ୨୨ରେ ମଦ ଦୋକାନ ବନ୍ଦ କରିବାକୁ ପୂର୍ବରୁ ଘୋଷଣା କରିସାରିଛି। ରାମ ମନ୍ଦିରରେ ରାମଲାଲା ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିବେ।