Categories: ଜାତୀୟ

ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀର ଖରାପ ପବନ ପାଇଁ ହରିୟାଣାକୁ ଦାୟୀ କରିଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସଙ୍କଟ ପାଇଁ ହରିୟାଣା ମୁଣ୍ଡରେ ଏଏପି ଅଠା ବୋଳିଛି। ପ୍ରଦୂଷଣକୁ ରୋକିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ୨୦୧୪ ମସିହାରୁ ନେଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରିବାକୁ ଏଏପି ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଦାବି କରିଛନ୍ତି।

ପ୍ରିୟଙ୍କା କକ୍କର କହିଛନ୍ତି, ପଞ୍ଜାବ ଦିଲ୍ଲୀଠାରୁ ୫୦୦ କିଲୋମିଟର ଦୂରରେ। ଯେତେବେଳେ କି ହରିୟାଣା ମାତ୍ର ୧୦୦କିଲୋମିଟର ଦୂରରେ ରହିଛି। ଏଭଳି ପରିସ୍ଥିତିରେ ହରିୟାଣାରେ ପରାଳି ଜଳିବା କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଯାଇଛି। ୨୦୧୪ ମସିହାରୁ ହରିୟାଣାରେ ଖଟ୍ଟର ସରକାର ନେଇଥିବା ପ୍ରଦୂଷଣ ବିରୋଧୀ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା କରାଯିବା ଉଚିତ। ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ୩୧ତିଶତ ହ୍ରାସ ଘଟିଛି।

ସେ କହିଛନ୍ତି, ଅଥନୈତିକ ସର୍ଭେ ୨୦୨୨-୨୩ରେ କେନ୍ଦ୍ର ସରକାର ମଧ୍ୟ ସ୍ବୀକାର କରିଛନ୍ତି ଗତ ଆଠ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସର୍ବୋତ୍ତମ ହୋଇଛି। ସିଏକ୍ୟୁଏମ ତଥ୍ୟ ଏହା ମଧ୍ୟ ଦର୍ଶାଉଛି ପଞ୍ଜାବରେ ପରାଳି ଜଳିବାରେ ୫୦-୬୭ ପ୍ରତିଶତ ହ୍ରାସ ଘଟିଛି। ଏହା ବ୍ୟତୀତ ପ୍ରିୟଙ୍କା କକ୍କର କହିଛନ୍ତି ହରିୟାଣାରେ ପ୍ରଦୂଷିତ ବିଏସ- ବସ ଦିଲ୍ଲୀ ଆସୁଛି। ହରିୟାଣାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଛି, ଯେଉଁ କାରଣରୁ ଲୋକମାନେ ଡିଜେଲ ଜେନେରେଟର ବ୍ୟବହାର କରୁଛନ୍ତି ଏବଂ ଏହା ମଧ୍ୟ ପ୍ରଦୂଷଣର କାରଣ ପାଳଟିଛି। ହରିୟାଣାରେ କୌଣସି ଡମ୍ପିଂ ପଡିଆ ନାହିଁ । ଯେତେବେଳେ କି ପଞ୍ଜାବରେ ୯ଟି ନିର୍ମାଣ କରାଯାଇଛି।

Share