ହରିୟାଣାର ଦୌଡ଼ପରୀ ଜେଜେମା: ୧୦୬ ବର୍ଷରେ କଲେ ବିଶ୍ୱ ରେକର୍ଡ…

ଚଣ୍ଡିଗଡ଼,୨୭।୯ : ହରିୟାଣାର ଦୌଡ଼ପରୀ ଜେଜେମା ଭାବରେ ଜଣାଶୁଣା ୧୦୬ ବର୍ଷିୟ ରାମବାଈଙ୍କ ଦୌଡ଼ ଦେଖି ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନିଜ ସ୍ବପ୍ନକୁ ପୂରଣ କରି ରାମବାଈ ବିଦେଶ ମାଟିରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଖେଳ ପ୍ରତି ଥିବା ଏତେ ଉତ୍ସାହ ବଢ଼ିବାରେ ଲାଗିଛି। ସେ କ୍ରମାଗତ ଭାବରେ ଦେଶ ପାଇଁ ପଦକ ଜିତିବାକୁ ଚାହୁଁଛନ୍ତି। ସରକାରଙ୍କଠାରୁ ଆର୍ଥିକ ସହାୟତା ନ ପାଇବାରୁ ରାମବାଈଙ୍କ ମନରେ କଷ୍ଟ ହୋଇଛି। ଏହା ସତ୍ତ୍ୱେ ପଦକ ଜିତିବା ପାଇଁ ତାଙ୍କର ସଂକଳ୍ପ ଜାରି ରହିବ ବୋଲି ସେ କହିଛନ୍ତି।

ଗତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼କୁ ୪୫.୪୦ସେକେଣ୍ଡରେ ପୂରଣ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବାବେଳେ ଚରଖି ଦାଦ୍ରି ଗାଁରେ ବାସ କରୁଥିବା ରାମବାଈ ଖବରର ଶିରୋନାମା ପାଲଟିଥିଲେ। ଏହାପୂର୍ବରୁ ଏହି ରେକର୍ଡ ମନକୌରଙ୍କ ନାମରେ ଥିଲା। ସେ ୭୪ ସେକେଣ୍ଡରେ ଦୌଡ଼କୁ ସମାପ୍ତ କରିଥିଲେ। ଜାତୀୟ ରେକର୍ଡ ସୃଷ୍ଟି କରିବା ପରେ ରାମବାଈ ଆଉ ପଛକୁ ଫେରି ଚାହିଁ ନ ଥିଲେ ଏବଂ ବିଦେଶ ମାଟିରେ ଖେଳି ଦେଶ ପାଇଁ ପଦକ ଜିତିବାର ସ୍ବପ୍ନ ପୂରଣ କରିବା ପାଇଁ ଏକ ପାସପୋର୍ଟ ତିଆରି କରିଥିଲେ। ମାଲେସିଆରେ ୧୬ ଓ ୧୭ ସେପ୍ଟେମ୍ବରରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର ଚାମ୍ପିଅନଶିପରେ ତାଙ୍କର ସ୍ବପ୍ନ ପୂରଣ ହୋଇଥିଲା। ରନିଂ ଇଭେଣ୍ଟରେ ଅଂଶଗ୍ରହଣ କରି ରାମବାଈ ୧୦୦, ୨୦୦ ମିଟର ଦୌଡ଼, ସଟପୁଟ ଏବଂ ଡିସ୍କସ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରି କରିଛନ୍ତି। ଗାଁରେ ପହଞ୍ଚିବା ପରେ ରାମବାଈଙ୍କୁ ଲୋକେ ସମ୍ମାନିତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ରାମବାଈଙ୍କୁ ଉତ୍ସାହିତ କରୁଥିବା ତାଙ୍କ ନାତୁଣୀ ଶର୍ମିଲା ସାଙ୍ଗୱାନ କହିଛନ୍ତି ତାଙ୍କ ଜେଜେମା’ଙ୍କ ଉତ୍ସାହ ଦେଖି ସେ ତାଙ୍କୁ ଗାଁ ପଡ଼ିଆରେ ଅଭ୍ୟାସ କରାଇବାକୁ ଲାଗିଲେ। ସ୍ଥାନୀୟ ଖାଦ୍ୟ ଖାଇବା ଏବଂ ମାଟିରାସ୍ତାରେ ଦୌଡ଼ିବା ପ୍ରସ୍ତୁତିର ଫଳାଫଳ ହେଉଛି ଆମେ ବିଦେଶୀ ମାଟିରେ ଚାରିଟି ପଦକ ଜିତିଛୁ । ଯଦି ସରକାର ତାଙ୍କୁ ସାହାଯ୍ୟ କରନ୍ତି, ତେବେ ସେ ବିଦେଶୀ ମାଟିରେ ଦେଶ ପାଇଁ ପଦକ ଜିତିବାର ଧାରା ଜାରି ରଖିପାରିବେ ।

Share