ନବରସ ମଧ୍ୟରୁ ହାସ୍ୟ ରସ ଅନ୍ୟତମ l ତେଣୁ ନିରସ ବିରସ ମନକୁ ହସ ରସରେ ସରସ କରିବାପାଇଁ, ହାସ୍ୟ ଲେଖକ ଓ କଳାକାରମାନଙ୍କର ଗୁରୁତ୍ୱ ସବୁବେଳେ ରହିଆସିଛି। ଏମାନେ ଯାବତୀୟ ଦୁଃଖ ଭିତରେ ରହିଲେ ବି, ବର୍ଷକ ବାରମାସ -ତିନିଶ’ପଞ୍ଚଷଠି ଦିନ ୟାଙ୍କପାଇଁ ହାସ୍ୟ ଦିବସ। ହାସ୍ୟ ବିନା ଏମାନଙ୍କ ଜୀବନ ଅଧୁରା । ଲୁହଧାରକୁ କେମିତି ହସ ଧାରରେ ବଦଳେଇ ହେବ ସେ କଳା ଏମାନଙ୍କୁ ବେଶ୍ ଜଣା। ଏମାନେ କେତେବେଳେ କାନ୍ଦନ୍ତି,-ତାହା ସାଧାରଣ ମଣିଷ ବୁଝିବା ମୁସ୍କିଲ୍। ଜୋକର ଯେମିତି ନିଜର ସୁନ୍ଦର ରୂପକୁ ରଙ୍ଗ ତଳେ ଲୁଚେଇ, ନିଜକୁ ବିକୃତ ରୂପରେ ସଜେଇ ଅନ୍ୟଙ୍କୁ ଆନନ୍ଦ ଦେଇଥାନ୍ତି, ଠିକ୍ ସେମିତି ଅନେକ ହାସ୍ୟ-ବ୍ୟଙ୍ଗ କବି ଅନ୍ୟ ମୁହଁରେ ହସର ବର୍ଷା କରେଇବାକୁ ଆପଣାର ସୁନ୍ଦର ପିତୃଦତ୍ତ ନାଁ ବଦଳେଇ, ବିକୃତ ନାମରେ ନାମିତ ହୋଇ ଖୁସି ବାଣ୍ଟୁଛନ୍ତି। ସେହିମାନଙ୍କ ମଧ୍ୟରୁ କେତେଜଣଙ୍କ ସମ୍ପର୍କରେ…
ଏହି ନାଁ ମୋ ପରିଚୟ ମୋ ଗୌରବ- ଶ୍ରୀମାନ୍ ସର୍ବଗିଳା
‘ଶ୍ରୀମାନ୍ ସର୍ବଗିଳା’ ଓରଫ୍ ରତ୍ନାକର ବେହେରା ଜଣେ ଅନନ୍ୟ ବ୍ୟଙ୍ଗକାର। ହାସ୍ୟ ଓ ବ୍ୟଙ୍ଗର ସମନ୍ବୟରେ ଗଢ଼ା ତାଙ୍କର ପ୍ରତ୍ୟେକଟି ସର୍ଜନା। ଜଣେ କବି, ଗାଳ୍ପିକ, ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଭାବରେ ସବୁରି ପ୍ରିୟ ସର୍ବଗିଳା ବ୍ୟଙ୍ଗ ଜଗତରେ ଏକ ଶ୍ରଦ୍ଧାଶୀଳ ନାଁ। ତାଙ୍କ ସର୍ଜନା ପଥରେ ଥାଏ ହସାଇବା, ରସାଇବା, ପୁଣି ଦଂଶନ ମାଧ୍ୟମରେ ଜାଗ୍ରତ କରେଇବାର ସୂତ୍ର। ଜୀବନର ଗତିପଥରେ ଆସୁଥିବା ସକଳ ନକାରାତ୍ମକ ଭାବ ଓ ପରିସ୍ଥିତିକୁ ସେ ହସର ଅସ୍ତ୍ରରେ ସାମ୍ନା କରିଥାନ୍ତି। ଲେଖାରେ, ପରିବେଷଣରେ ହସକୁ ତିଆରି କରି ତହିଁରେ ପାଠକଙ୍କୁ, ଦର୍ଶକଙ୍କୁ ହସରେ ହଜେଇବା ନୁହେଁ ଅଧିକନ୍ତୁ ସଚେତନତା ଉଦ୍ରେକ କରେଇବା କାମକୁ ସେ ସଫଳ ଭାବରେ କରିପାରନ୍ତି। ଦୁର୍ଘଟଣାରେ ମରଣ ସହ ଲଢ଼ି ଦୁଇ ଗୋଡ଼ ହରେଇଲା ପରେ ବି ସର୍ବଗିଳା ଦର୍ଶେଇ ଦେଇଛନ୍ତି ତାଙ୍କ ଲେଖା ଓ ଜୀବନଚର୍ଯ୍ୟାରେ ଯେ ପୃଥିବୀ ସୁନ୍ଦର ଏବଂ ସେହି ପୃଥିବୀକୁ ରଚନା କରିଥିବା ବିଶ୍ୱନିୟନ୍ତା ଯାହା ବି କରନ୍ତି ମଙ୍ଗଳ ପାଇଁ କରନ୍ତି। ଆଧ୍ୟାତ୍ମିକତାକୁ ଆଧାର କରି ଜୀବନ ଜିଉଥିବା ସର୍ବଗିଳା ସମସ୍ତଙ୍କ ମୁହଁରେ ହସ ଦେଇ ସେଇ ପରମ କାରୁଣିକଙ୍କ ସେବା କରୁଛନ୍ତି ବୋଲି ଭାବନ୍ତି। ପୁରୀ ଜିଲା କାକଟପୁରର ବାଜପୁରରେ ଜନ୍ମିତ ଶ୍ରୀମାନ ସର୍ବଗିଳାଙ୍କ ମା’ ବୁଦ୍ଧି ଦେଈ ଓ ପିତା ବନମାଳୀ ବେହେରା। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସ୍ବେଚ୍ଛାକୃତ ଅବସର ପରେ ଏବେ ସେ ସାହିତ୍ୟ ସେବାରେ ବ୍ରତୀ ଅଛନ୍ତି। ତାଙ୍କର ୨୭ଟି ପୁସ୍ତକ ମଧ୍ୟରେ ରହିଛି ଗଳ୍ପ, କବିତା, ରମ୍ୟରଚନା, ନାଟକ ଓ ଆତ୍ମ ଜୀବନୀ। ଏହାସହିତ ଆକାଶବାଣୀ, ବିଭିନ୍ନ ଟିଭି ଚାନେଲ ଓ ରଙ୍ଗମଞ୍ଚରେ ନିଜର କଳା ପାଇଁ ଲୋକପ୍ରିୟ ହୋଇଥିବା ଶ୍ରୀମାନ୍ ସର୍ବଗିଳା ଅର୍ଦ୍ଧ ଶତକରୁ ଅଧିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି l ବ୍ୟଙ୍ଗକାର ଭାବରେ ପରିଚିତ ହେବା ସହ ନିଜ ପାଇଁ ବ୍ୟଙ୍ଗ ନାମ ବାଛିବା ସମ୍ପର୍କରେ ସେ କୁହନ୍ତି – ”ମୁଁ ଅଷ୍ଟମ ଶ୍ରେଣୀରେ ପଢିବାବେଳେ ବିପ୍ଳବଧର୍ମୀ କବିତା ଲେଖିୁଥିଲି। ୧୯୯୨ ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ଦିନ, ଶ୍ରୀଯୁକ୍ତ ସତ୍ୟାନାଶ ଡୁବନ ଦେଇ ମୋତେ ଧର୍ମାନ୍ତର କରେଇଲେ। ରତ୍ନାକରରୁ ଶ୍ରୀମାନ୍ ସର୍ବଗିଳା ନାଁକୁ ଆସିଲି। ସନ୍ନ୍ୟାସୀମାନେ ନୂଆ ନାମରେ ପରିଚିତ ହେଲାପରି, ମୋ ଭିତରେ ଥିବା ବିପ୍ଳବ ଭାବ ବ୍ୟଙ୍ଗ-କଟାକ୍ଷ -ହାସ୍ୟରସରେ ବଦଳିଗଲା। ହସେଇବା ମୋର ଏକମାତ୍ର ପ୍ରବୃତ୍ତି ପାଲଟିଗଲା। ଏମିତି ଦେଖିଲେ, ମୋର ଦୁଃଖ ଅଛି ବୋଲି ମୁଁ କେବେ ଅନୁଭବ କରିନାହିଁ। ଜୁଲାଇ ୬ ତାରିଖ,୨୦୨୧ମସିହାରେ ଟ୍ରକ୍ ଦୁଇଗୋଡ଼ ଉପରେ ଚଢି ହାଡ଼କୁ ପାମ୍ପଡ଼ ଭଳିଆ ବଢିଆ ଗୁଣ୍ଡ କରିଦେଲା। ଭାରି ଭଲହେଲା… ଗୋଡ ଯାଇଛି, ଥୋଡ଼ ତ ଅଛି l ଯାହା ହସିବା -ହସେଇବା ପାଇଁ ନିହାତି ଦରକାର। ହାତରେ ସମସ୍ତେ ଲେଖନ୍ତି, ଥୋଡ଼ (ମୁହଁ)ରେ ହସିଥାନ୍ତି… କଥା ହୁଅନ୍ତି l ଏଯାଏ କେହିତ ଗୋଡ଼ରେ ହସିବା ମୁଁ ଜାଣିନି। ତେଣୁ ଦୁଃଖ କିଆଁ କରିବି? ବରଂ ମୋର ଏମିତି ଅବସ୍ଥାରେ ଯେଉଁ ବନ୍ଧୁମାନେ ଲୁହ ଗଡେଇ ମତେ ଦେଖିବାକୁ ଆସୁଥିଲେ, ସେଇ ବନ୍ଧୁରୂପୀ ଜଗବନ୍ଧୁଙ୍କ ଲୁହ ଦେଖି ମୁଁ ଠୋ ଠୋ ହସି ପଚାରୁଥିଲି… କାନ୍ଦି କାନ୍ଦି କିଏ କ’ଣ ବନ୍ଧୁଙ୍କୁ ଆଶ୍ୱାସନା ଦେଇପାରେ? ମୋର ହସି ହସି କଥାହେବା ଦେଖି, ସେମାନେ ବି ମୁହଁରେ ହସ ଫୁଟେଇ ଯାଉଥିଲେ l କାହିଁକିନା ମୁଁ କ’ଣ ଏତେ ଅଯୋଗ୍ୟ ବ୍ୟଙ୍ଗକାର ଯେ ବନ୍ଧୁମାନଙ୍କ ଲୁହର କାରଣ ହେବି? ଦୁଃଖ ଦୁର୍ଦ୍ଦଶା ଏସବୁ ଆମର ହାସ୍ୟ ବ୍ୟଙ୍ଗ ଧାରାର ବାଧକ ନୁହେଁ ବରଂ ଅଧିକ ପ୍ରେରଣା ଯୋଗେଇଥାଏ, ଧୈର୍ଯ୍ୟ ବଢ଼େଇଥାଏ, ଚିତ୍ତକୁ ଅସ୍ଥିର ନ କରି ସ୍ଥିରତା ଅଣେଇଥାଏ। ଦେଖନ୍ତୁ, ନାମ ସହ କାମ ବି କେମିତି ଯୋଡିହୋଇଗଲା! ବନ୍ଧୁମାନେ କହିଲେ ସତରେ ତୁମେ ସର୍ବଗିଳାl ତା’ ନ ହୋଇଥିଲେ କ’ଣ ଏମିତି ଦୁର୍ଘଟଣାକୁ ହସି ହସି ଗିଳି ହଜମ କରିପାରନ୍ତ! ମୋ ମତରେ କବି କଳାକାର ଯଦି ଅନ୍ୟର ମଙ୍ଗଳ ଓ ମୁହଁରେ ହସ ଦେଖିବାକୁ ଚାହାନ୍ତି, ତେବେ ନୀଳକଣ୍ଠଙ୍କ ପରି ସବୁ ବିଷ ନିଜେ ହସି ହସି ପାନକରି, ଅନ୍ୟକୁ ଅମୃତ ପ୍ରଦାନ କରେଇବାକୁ ହେବ। ବ୍ୟଙ୍ଗ, ବେଳେବେଳେ ଅନ୍ୟକୁ ସାମୟିକ ପୀଡା ବି ଦେଇଥାଏ l ମାତ୍ର ତା’ର ମଙ୍ଗଳ ଉଦ୍ଦେଶ୍ୟ ଦେହରେ ଥିବା ରୋଗ ବା ଖୁଣକୁ ଶଲ୍ୟ ଚିକିତ୍ସକ ପରି ଅପରେଶନ ଦ୍ୱାରା ରୋଗମୁକ୍ତ କରି ମଙ୍ଗଳ ସାଧନ କରେଇଥାନ୍ତି l ତେଣୁ ହାସ୍ୟ -ବ୍ୟଙ୍ଗ ସମାଜର ଶତ୍ରୁ ନୁହନ୍ତି ବରଂ ପରମ ମିତ୍ର ବୋଲି ଗୁଣିଜନ ବୁଝିଥାନ୍ତି। ନାମ ଆମର ପରିଚୟ ନୁହଁ ବରଂ କାମ ଆମର ପରିଚୟ ହେଉ। ତେବେ ଗୋଟେ କଥା କହିବି ମୋର ଏଇ ନାମ ଧରି ସମ୍ବୋଧନ କରିବାକୁ
ଅନେକ ଆୟୋଜକଙ୍କର ତୁଣ୍ଡ ଓଲଟେନି… କାଳେ ଆମ ସମ୍ମାନରେ ଆଞ୍ଚ ଆସିବ ଭାବି l ମାତ୍ର ହାସ୍ୟ ବ୍ୟଙ୍ଗ ଗୁଣେ ପ୍ରଭୁ ଜନ୍ମଦେଲ ମୋତେ, ଏ ହେରସାମୀ ସ୍ବଭାବ ମୁଁ ଛାଡ଼ନ୍ତି କେମନ୍ତେ? ବରଂ ଏଇ ବିକୃତ ନାଁରେ ହିଁ ଆମର ଗୌରବ ପରିଚୟ, ଯାହା ଆନନ୍ଦ ପାଇଁ ଉଦ୍ଦିଷ୍ଟ l“
ହାସ୍ୟବ୍ୟଙ୍ଗ ସାହିତ୍ୟ ରଚନା ମୋତେ ସତ୍ୟାନାଶ କରିଦେଲା- ଶ୍ରୀଯୁକ୍ତ ସତ୍ୟାନାଶ
ଏକାଧାରରେ ବ୍ୟଙ୍ଗ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅଭିନେତା, ନାଟ୍ୟକାର, ସମ୍ପାଦକ, ଚିତ୍ରକର, କାର୍ଟୁନିଷ୍ଟ ଓ ଜ୍ୟୋତିଷବିଶାରଦ ହେଲେ ‘ଶ୍ରୀଯୁକ୍ତ ସତ୍ୟାନାଶ’ ଓରଫ ପ୍ରଭାକର ନାୟକ। ଯାହାଙ୍କର ଅଦ୍ୟାବଧି ୨୭ଖଣ୍ଡ ହାସ୍ୟବ୍ୟଙ୍ଗ ଗଳ୍ପ, କବିତା, ଉପନ୍ୟାସ, ନାଟକ, ପ୍ରବନ୍ଧ, ଅନୁବାଦ ବହି ପ୍ରକାଶିତ ହୋଇସାରିଛି। ଏହାବାଦ୍ ସେ ରୀତିଯୁଗୀୟ ସାହିତ୍ୟ ରଚନାରେ ପାରଙ୍ଗମ l ଓଡ଼ିଶାରେ ବ୍ୟଙ୍ଗ ହାସ୍ୟ ସାହିତ୍ୟକୁ ନୂଆ ଭାବଧାରାରେ ମଞ୍ଚରେ ପରଷି ଶ୍ରୋତା ଓ ଦର୍ଶକମାନଙ୍କୁ ମୁଗ୍ଧ କରେଇ ବ୍ୟଙ୍ଗ ସାହିତି୍ୟକଙ୍କୁ ଆଗେଇନେବାରେ ତାଙ୍କର ରହିଛି ଅଗ୍ରଣୀ ଭୂମିକା। ନୟାଗଡ଼ର ବାଉଁଶିଆପଡାରେ ଜନ୍ମିତ ସତ୍ୟାନାଶଙ୍କ ମା’ ସୁଶୀଳା ଓ ବାପା ବଳଭଦ୍ର ନାୟକ। ପେସାରେ ଓଡ଼ିଶା ବନ ବିଭାଗରେ କାର୍ଯ୍ୟରତ ସତ୍ୟାନାଶଙ୍କୁ ବ୍ୟଙ୍ଗ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ବ୍ୟଙ୍ଗର ଏମିତି କୌଣସି ବିଭାଗ ନାହିଁ ଯେଉଁଥିରେ ସତ୍ୟାନାଶଙ୍କର ପ୍ରବେଶ ନାହିଁ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ। ତେବେ ବ୍ୟଙ୍ଗ ଲେଖାକୁ କାହିଁକି ଆପଣାଇ ପ୍ରଭାକରରୁ ସତ୍ୟାନାଶ ହେଲେ ସେ ସମ୍ପର୍କରେ ସେ କୁହନ୍ତି – ”ସଚରାଚର ଜଗତରେ କେହି କାନ୍ଦିବାକୁ ଭଲ ପାଆନ୍ତି ନାହିଁ; ଅଥଚ କାନ୍ଦନ୍ତି, କାରଣ କାନ୍ଦିବାକୁ ସବୁ ସମୟରେ ଅନେକ ସୁବିଧା ଓ କଞ୍ଚାମାଲ୍ ମିଳେ। ‘କୁଆଁକୁଆଁ’ ଯେମିତି କ୍ରନ୍ଦନ ‘ରାମନାମ ସତ୍ୟ’ଟା ବି ସେମିତି ବେଦନାଦାୟକ, ତା’ହେଲେ ମଣିଷ କେତେବେଳେ ହସେ; କିଏ ହସାଏ? ହସାଇବା କମ୍ ବଡ଼ ପୁଣ୍ୟ କାମ କି? ଚାଲ ହସେଇବା ବିଚାର କରି ଏକଦା ନୟାଗଡ଼ରୁ ପ୍ରକାଶିତ ହେଉଥିବା ଗ୍ରହରାଜ ପତ୍ରିକାରେ କିଛି ହାସ୍ୟଚିତ୍ର ଆଙ୍କୁ ଆଙ୍କୁ ଲେଖା ଗହଣରେ କିଛି ହାସ୍ୟ ପ୍ୟାରୋଡ଼ି ଲେଖି ହେଇଗଲା। ଅଚାନକ ଫତୁରାନନ୍ଦଙ୍କ ଗୋଟେ ବହି ହାତରେ ପଡ଼ନ୍ତେ ଗପଗୁଡ଼ିକରେ ଥିବା ହାସ୍ୟସୂତ୍ର ମୋ ମଗଜରେ ପଶିଲେ। ଯଦି ଗପରେ ଏତେ ସୁନ୍ଦର ହାସ୍ୟ ହେଇପାରୁଛି; କବିତାରେ ନ ହବ କିଆଁ! ଅତଏବ ମୋ ହାସ୍ୟକବିତା ଲେଖାର ନିଆଁଝୁଲରେ ନନା(ବାପା)ଙ୍କ ନାଟକରେ ଥିବା ହାସ୍ୟଚରିତ୍ରମାନେ କିରୋସିନ ଢାଳିଦେଲେ। ମୋ ଅଞ୍ଚଳର ହାସ୍ୟକବି ଉତ୍କଳଘଣ୍ଟ ଯଦୁମଣିଙ୍କ ହାସ୍ୟରହସ୍ୟ ଓ ବ୍ୟାସକବି ଫକୀରମୋହନଙ୍କ ଚମ୍ପାସାନ୍ତାଣୀମାନେ ମୋ ରଚନାକୁ ହାସ୍ୟବ୍ୟଙ୍ଗର କାଠ ଓ ଘିଅ ଯୋଗେଇଦେଲେ। ହାସ୍ୟବ୍ୟଙ୍ଗ ସାହିତ୍ୟ ରଚନା ମୋତେ ସତ୍ୟାନାଶ କରିଦେଲା। ସତରେ କହିଲେ, ସର୍ବଗିଳା କୁଳାଙ୍ଗାର ସତ୍ୟାନାଶ ହେବା ସହଜକଥା କି! ବୈଷ୍ଣବଧର୍ମୀ ସନ୍ଥମାନେ ‘ଦାସ’ ହୋଇଯିବା ପରି ହାସ୍ୟବ୍ୟଙ୍ଗ ପ୍ରତି ନିଜକୁ ସମର୍ପଣଭାବ ମୋତେ ‘ସତ୍ୟାନାଶ’ କରିଦେଲା। ଆମେ ସତ୍ୟାନାଶ ସର୍ବଗିଳା କୁଳାଙ୍ଗାର ହେଇ ବ୍ୟଙ୍ଗ ‘ଡୁବନ’ ନେଇ କେବଳ ହାସ୍ୟବ୍ୟଙ୍ଗ ରଚନା କରିବୁ ଏ ସଂକଳ୍ପ ନେଲୁ। ମୂଳ ନାମଗୁଡ଼ିକ ରସଭଙ୍ଗ କରୁଥିଲା ହାସ୍ୟରସର। ଆସରରେ କବିତା ପଢିବାକୁ ସଂଯୋଜକ ଯେତେବେଳେ ଡାକନ୍ତି- ଏଥର ଶୁଣିବା କବିତା କୁକୁଡ଼ଲାଙ୍ଗୁଡ଼ ଲେଖିଛନ୍ତି ପ୍ରଭାକର ନାୟକ। କହିଲେ, ରସଭଙ୍ଗ ହେଲା କି ନାଇଁ? ପ୍ରଭାକର ବଦଳରେ ଯଦି ଧଡ଼ିଆ ସାଉ, ନବରଙ୍ଗ ବେହେରା ଇତ୍ୟାଦି ହୋଇଥାନ୍ତା ତା’ହେଲେ ନାଁ ବଦଳେଇବାକୁ ଦରକାର ପଡ଼ି ନ ଥାନ୍ତା। ଅତଏବ ଫୁଲବାଣୀର ଓକିଲ ବିଜୟ ପଟ୍ଟନାୟକଙ୍କ ଦ୍ୱାରା ନିଜ ନାଁ ନିଜେ ‘ଶ୍ରୀଯୁକ୍ତ ସତ୍ୟାନାଶ’ କରିଦେଲି।“
ଡକ୍ଟର କୁଳାଙ୍ଗାରଙ୍କ ହସ ବଟିକା
ଗୋଟୋ ହାଣ୍ଡି ମୁହଁ କରି ବସିଥିବ ମୁହଁରେ ଟିକେ ହସ ନ ଥିବ। ଏ ପୁଣି କି କଥା। ଏଗୁଡା ତାଙ୍କ ଦେହରେ ଜମା ଯାଏନି। ସେଇଥି ପାଇଁ କେତେବେଳେ ବ୍ୟଙ୍ଗ କବିତା ଲେଖନ୍ତି ତ କେତେବେଳେ ରମ୍ୟ ରଚନା। ପୁଣି କେବେ ହାସ୍ୟକବି ସମ୍ମିଳନୀ କରନ୍ତି ତ କେବେ ବ୍ୟଙ୍ଗ ବୋମା ପକାଇବାକୁ ପଛାନ୍ତି ନାହିଁ। ଇଏ ହେଲେ ‘ଡକ୍ଟର କୁଳାଙ୍ଗାର’, ଯାହାଙ୍କ ଶ୍ରଦ୍ଧା ନାମ ପ୍ରୀତିକାନ୍ତ ପଣ୍ଡା। ମା’ ଊର୍ମିଳା ଓ ପିତା ଗୋକୁଳାନନ୍ଦ ପଣ୍ଡା। ସମାଜସେବାକୁ ପେସା କରିଥିବା ଡକ୍ଟର କୁଳାଙ୍ଗାରଙ୍କର ନିଶା କେବଳ ହସାଇବା। ଏହି ହସାଇବା ପାଇଁ ସେ ଲେଖିଛନ୍ତି ଅନେକ କବିତା, ରମ୍ୟ ରଚନା, ଉପନ୍ୟାସ ଓ ହାସ୍ୟ ପତ୍ରିକାର ସମ୍ପାଦନା। ତା’ସହିତ ପୁଣି ବିଭିନ୍ନ ଟିଭି ଚାନେଲରେ ସଞ୍ଚାଳନା କରିବା ସହ କଳାକାର ଭାବରେ ମଧ୍ୟ ବେଶ୍ ହସେଇଛନ୍ତି ଦର୍ଶକଙ୍କୁ। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ତେବେ ସେ କାହିଁକି ବ୍ୟଙ୍ଗ ଲେଖିବାକୁ ମନସ୍ଥ କଲେ ପୁଣି ଏମିତି କଉତୁକିଆ ନଁା ବାଛିଲେ, ସେ ସମ୍ପର୍କରେ ସେ କହନ୍ତି- ”ସାମନାରେ ଥିବା ମଣିଷଟି ଲକ୍ଷେ ଟଙ୍କା ମୁହଁ ନ କରି ହସକୁରା ହେଉ, ଏହା ସଭିଏ ଚାହାନ୍ତି! ଅତଏବ ମଣିଷ ମୋ ରଚନା ପଢି ବା ଶୁଣି ମୁଚୁକୁନ୍ଦ ମାରୁ ତାହା ମୋର ଉଦ୍ଦେଶ୍ୟ। ମୋ ବାପା ଜଣେ ପ୍ରବୁଦ୍ଧ ପାଠକ । ତାଙ୍କ କୃପାରୁ ମୋତେ ଛୋଟବେଳୁ ବହୁ ବହି ପଢ଼ିବାର ସୁଯୋଗ ମିଳିଲା। ଯେବେ ମୋଠାରେ ଲେଖାଲେଖି କରିବାର ଯାଦୁ ପ୍ରକଟ ହେଲା ଭାବିଲି ଏମିତିରେ ତ ମଣିଷ ନାନା ଟେନ୍ସନରେ; ପୁଣି ଗୁଡ଼େ ଦୁଃଖ କଥା ଲେଖି ତାକୁ ଭାରାକ୍ରାନ୍ତ କରିବି କିଆଁ? ଏଇ ଭାବନାକୁ ସେତେବେଳେ ପ୍ରଜାତନ୍ତ୍ର ସାପ୍ତାହିକରେ ପ୍ରକାଶ ପାଉଥିବା ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ବ୍ୟଙ୍ଗ ସ୍ତମ୍ଭ ଦମ୍ଭ ଦେଲା। ଅତଏବ ମୁଁ ବ୍ୟଙ୍ଗ ଲେଖିଲି । ପରେ ପରେ ମୋର ଭିଣୋଇଙ୍କ ସୌଜନ୍ୟରୁ ଶ୍ରୀଯୁକ୍ତ ସତ୍ୟାନାଶଙ୍କ ସମ୍ପର୍କରେ ଆସିଲି। ସିଏ ମୋର ଗୁରୁ। ସିଏ ମୋତେ ଦେଶ ଓ ସାଧାରଣ ଜନତାର ପକ୍ଷ ଧରି ଅବ୍ୟବସ୍ଥା ଓ ଅବିବେକୀଙ୍କ ବିରୋଧରେ ବ୍ୟଙ୍ଗକୁ ଅସ୍ତ୍ର କରିବାକୁ ଶିଖାଇଲେ। କୋରାମିନ ବଟିକା ପରି ସେଥିରେ ହାସ୍ୟର ପଞ୍ଚ ଲୋକପ୍ରିୟ ହେବା ଏବଂ ପରେ ସେଥିରୁ ଅର୍ଥ ଓ ଶ୍ରଦ୍ଧା ଅର୍ଜନ ମୋତେ ଏପରି ଲେଖି ଚାଲିବାକୁ ପ୍ରେରଣା ଦେଲା! ପାଠ ପଢିବା ପାଇଁ ମୁଁ ନାନୀଘର ଫୁଲବାଣୀରେ ରହିବାପରେ ଶ୍ରୀଯୁକ୍ତ ସତ୍ୟାନାଶ, ସ୍ବର୍ଗତ ବାଇଡଙ୍କ ଦାସ ଓ ଶ୍ରୀମାନ ସର୍ବଗିଳାଙ୍କ ସମ୍ପର୍କରେ ଆସି ଏପରି ନାମକରଣ ପାଇଁ ଉତ୍ସାହିତ ହେଲି ଏବଂ କେବଳ ହାସ୍ୟବ୍ୟଙ୍ଗ ଲେଖିବାର ଧର୍ମ ଗ୍ରହଣ କରି ଡୁବନ ନେଲି। କୁଳାଙ୍ଗାର ନାମଟି ମୁଁ ନିଜେ ବାଛିଥିଲି, ପରେ ସମ୍ମାନ ପାଇଁ ସତ୍ୟାନାଶ ଏଥିରେ ବାବୁ ଯୋଡ଼ିଥିଲେ ଏବଂ ପରେପରେ ଆତ୍ମପଣ୍ଡିତ ଡ. ସାହିତି୍ୟକଙ୍କର ପ୍ରାବଲ୍ୟକ ଓ ବ୍ୟଙ୍ଗ କରି ମୋ ନାମ ପୂର୍ବରୁ ଡ. ଯୋଡ଼ିଦେଲେ I ଏପରି ନାମକରଣ ହାସ୍ୟ ପ୍ରଦାୟକ, ଲୋକାଦୃତ, ସହଜରେ ମନେରହିବା ସହ ସ୍ବତନ୍ତ୍ର ତଥା ହାସ୍ୟବ୍ୟଙ୍ଗ ଲେଖିବା ପାଇଁ ପ୍ରତିଶ୍ରୁତିବଦ୍ଧତା ବୋଲି ମୋର ବିଶ୍ୱାସ I ମୋତେ ନାଁ ଧରି ଡାକିବାକୁ ଅନେକେ ସଂକୋଚ କରିଥାନ୍ତି I ଏଇ ଯେମିତି ପାଠକମାନେ ମୋତେ ଫୋନ କରି କିଏ କହୁଛନ୍ତି ବୋଲି ପଚାରିଥାନ୍ତି I ଆୟୋଜକ/ ମଞ୍ଚ ପରିଚାଳକମାନେ ଭଲ ନାଁଟା କ’ଣ ବୋଲି ପଚାରନ୍ତି କାହିଁକିନା ଏଇ ନାଁଟା ମଞ୍ଚରେ ଡାକିଲେ କାଳେ ଅସମ୍ମାନ ମନେ ହେବ I ତେବେ ମୁଁ ନିଃସଂକୋଚରେ କହିଥାଏ କି ଏଇଟା ହିଁ ମୋ ଭଲ ନାଁ!
ଧର୍ମ ଛଡ଼ା, ଯା’ର ଅନ୍ୟଗତି ନାହିଁ ସେ ଧର୍ମଛଡ଼ା
ନିଜେ ହସି ଅନ୍ୟକୁ ହସାଇବାର କଳା ତାଙ୍କୁ ବେଶ୍ ଜଣାଥିଲା ପିଲାବେଳୁ। ଯେବେ ବ୍ୟଙ୍ଗ କ’ଣ ଜାଣି ନ ଥିଲେ ସେହି ସମୟରେ ଅଜାଙ୍କଠାରୁ ଓ ଗାଁର ଜେଜେ, ଜେଜେମା’ଙ୍କ ଠାରୁ ଶୁଣିଥିବା କିଛି ବ୍ୟଙ୍ଗ ଶବ୍ଦ ତାଙ୍କ ମନରେ ଘର କରି ରହିଯାଇଥିଲା। ସେହି ଶବ୍ଦର ପ୍ରେମ ଏତେ ତୀବ୍ର ଥିଲା ଯେ ପରବର୍ତ୍ତୀ ସମୟରେ ନିଜ ପ୍ରକୃତ ନାଁକୁ ବଦଳାଇ ବ୍ୟଙ୍ଗ ନାଁକୁ ଆପଣାଇ ନେଲେ। ବ୍ୟଙ୍ଗ ପ୍ରେମରେ ନିଜକୁ ବୁଡାଇ ଦେଇଥିବା ଏହି ବ୍ୟଙ୍ଗକାର ହେଲେ ‘ଡକ୍ଟର ଧର୍ମଛଡା’। ଯାହାଙ୍କ ପ୍ରକୃତ ନାମ ବିଭୁ ପ୍ରସାଦ ନାୟକ । କେନ୍ଦ୍ରାପଡାରେ ଜନ୍ମିତ ଏହି ବ୍ୟଙ୍ଗକାରଙ୍କ ମା’ ରେବତୀ ଓ ପିତା ମହେଶ୍ୱର ନାୟକ। ଏଇ ମହାଶୟ ଧର୍ମଛଡାମାନଙ୍କର ମୁଖା ଖୋଲିବାର ପ୍ରୟାସ କରିବା ସହ ପାଠକ ଓ ଶ୍ରୋତାଙ୍କୁ ହସେଇବା ପାଇଁ ଏମିତି ନାଁ ବଦଳେଇ ଦେଇଛନ୍ତି l କବିତା, ପ୍ରବନ୍ଧ ସମ୍ପାଦନା ସହ ବିଭିନ୍ନ ଅନୁଷ୍ଠାନରେ କର୍ମକର୍ତ୍ତା ଥିବା ଏହି ବ୍ୟଙ୍ଗକାରଙ୍କୁ ଘରେ ଘରେ ପରିଚିତ କରାଇଛି ବିଭିନ୍ନ ମଞ୍ଚ ଓ ଟିଭି ଚାନେଲରେ ତାଙ୍କର କବିତା ଆବୃତ୍ତି। ସମସ୍ତଙ୍କୁ ହସେଇବାର ଏଇ ବିଚକ୍ଷଣ କଳା ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ତେବେ ଏଇ ହସାଇବାର କଳାକୁ କାହିଁକି ଆପଣାଇଲେ ଓ ଏମିତି ଏକ ନାଁରେ କାହିଁକି ପରିଚୟ ସୃଷ୍ଟି କଲେ ସେ ସମ୍ପର୍କରେ ଡକ୍ଟର ଧର୍ମଛଡା କୁହନ୍ତି, ”ପିଲାଟି ଦିନରୁ ମୁଁ ହସିବା ଓ ହସେଇବାକୁ ଭଲ ପାଉଥିଲି। ତେବେ ମୋର ହାସ୍ୟ ବ୍ୟଙ୍ଗ ଲେଖିବା ମୋର ଗାଁରୁ ଆରମ୍ଭ। ମୋ ଅଜା କଥା କଥାରେ ବ୍ୟଙ୍ଗ ଶବ୍ଦ ବ୍ୟବହାର କରୁଥିବାରୁ ମୋର ଆଦ୍ୟଗୁରୁ ମୋ ଅଜା ଥିଲେ। ସେହିପରି ମୋ ପିଉସୀଙ୍କ ବ୍ୟବହାରିକ ଶବ୍ଦ ମୋତେ ବ୍ୟଙ୍ଗ ଲେଖିବାରେ ବହୁତ ସାହାଯ୍ୟ କରିଛି। ଓଡ଼ିଆ ଘରର ବୋହୂ ସ୍ବାମୀ, ଶାଶୁ, ଶ୍ୱଶୁର ଏବଂ ଅନ୍ୟ ଗୁରଜନମାନଙ୍କ ନାଁ ଧରୁ ନ ଥିଲେ ଫଳରେ ହାସ୍ୟରୋଳ ସୃଷ୍ଟି ହେଉଥିଲା । ମୋ ପିଉସୀ ନାନୀ ଭାଗବତ ପଢୁଥିଲେ ”ସାନନ୍ଦେ ନୁଷ୍ଟ ଦେଲେ ନର , ହସି କହିଲେ ନକ୍ରଧର“ ଭାଗବତରେ ଯାହାର ପ୍ରକୃତରେ ପଦ ଥିଲା ”ଆନନ୍ଦେ କୃଷ୍ଣ ଦେଲେ ବର, ହସି କହିଲେ ଚକ୍ରଧର “। ସେହିପରି ଗାଁର ଜେଜେ ସ୍ଥାନୀୟ ଏବଂ ଜେଜେମା ସ୍ଥାନୀୟ ଗୁରୁଜନମାନଙ୍କର ଥଟ୍ଟା ପରିହାସ ଭିତରେ ହାସ୍ୟ ବ୍ୟଙ୍ଗ ଭର୍ତ୍ତି ହୋଇଥିଲା । ଯେତେବେଳେ ମୁଁ କଟକର ସାମନ୍ତ ହଷ୍ଟେଲରେ ରହି ପାଠ ପଢ଼ୁଥିଲି, ଆମ ହଷ୍ଟେଲ ନିକଟରେ ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ଦୁର୍ମୁଖ କାର୍ଯ୍ୟାଳୟ ଏବଂ ଉତ୍କଳ ସାହିତ୍ୟ ସମାଜ ଥିଲା। ଉତ୍କଳ ସାହିତ୍ୟ ସମାଜର କବିତା ଆସରରେ ଯୋଗଦେବା ଏବଂ ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ସାନ୍ନିଧ୍ୟ ପାଇବାପରେ ମୁଁ ହାସ୍ୟବ୍ୟଙ୍ଗ ଲେଖିବା ପାଇଁ ଉତ୍ସାହିତ ହୋଇଥିଲି । ପରେ ଜ୍ଞାନ ହୋତା ଏବଂ ସତ୍ୟାନାଶଙ୍କ ସଂସ୍ପର୍ଶରେ ଆସି ବ୍ୟଙ୍ଗ ଲେଖିବା ପ୍ରତି ମୋର ଆକର୍ଷଣ ବଢ଼ିଗଲା। ବ୍ୟଙ୍ଗ କବିତା, ବ୍ୟଙ୍ଗଗଳ୍ପ ଏବଂ ବ୍ୟଙ୍ଗ କ୍ଷୁଦ୍ର ନାଟକ ଲେଖିବା ଜାରି ରଖିଛି।
ଧର୍ମ ଛଡ଼ା ଅନ୍ୟ ଗତି ନାହିଁ ବୋଲି ମୁଁ ଧର୍ମଛଡା। କିନ୍ତୁ ପ୍ରକୃତରେ ସମାଜରେ ଧର୍ମଛଡାମାନଙ୍କର ମୁଖା ଖୋଲୁଥିବାରୁ ମୁଁ ସେମାନଙ୍କ ନଜରରେ ଧର୍ମଛଡ଼ା ।
ସବୁ ଦିଗରୁ ହୁଗୁଳା ନ ହେଲେ ହସେଇବା ସହଜ ନୁହଁ: ଶ୍ରୀ ଶ୍ରୀ ହୁଗୁଳା
ଏକାଧାରରେ ଜଣେ ପ୍ରଖ୍ୟାତ ଯୋଗଗୁରୁ, ଚିତ୍ରକର,ବ୍ୟଙ୍ଗକବି, ସାମ୍ବାଦିକ ଓ ଅଭିନେତା ହେଲେ ‘ଶ୍ରୀ ଶ୍ରୀ ହୁଗୁଳା’ ଓରଫ ପ୍ରମୋଦ କୁମାର ବେହେରା। ମା’ ମାତାଞ୍ଜଳି ଓ ପିତା ସାରଙ୍ଗଧର ବେହେରାଙ୍କ ସୁପୁତ୍ର ଭାବେ ମାର୍କଣ୍ଡପୁର, ଜଗତ୍ସିଂହପୁର ଠାରେ ଜନ୍ମିତ ଶ୍ରୀ ଶ୍ରୀ ହୁଗୁଳା ଇଂଲିଶରେ ସ୍ନାତକ। ହେଲେ ତାଙ୍କ ନିଶା ଲୋକଙ୍କ ନିଶା ଛଡାଇବା ଅର୍ଥାତ୍ ଲୋକଙ୍କୁ ହସେଇ ହସେଇ ବେଦମ୍ କରିବା। ଯେଉଁଥିପାଇଁ ସାହାରା ନେଇଛନ୍ତି ବିଭିନ୍ନ ମଞ୍ଚ, ପତ୍ର ପତ୍ରିକା ଓ ଟିଭି କାର୍ଯ୍ୟକ୍ରମକୁ। ଲୋକଙ୍କୁ ହସାଇବାର ନିଆରା କଳା କୌଶଳ ଆପଣାଇଥିବା ଶ୍ରୀ ଶ୍ରୀ ହୁଗୁଳାଙ୍କୁ ଏଥିପାଇଁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ତେବେ ଏହି ବ୍ୟଙ୍ଗକୁ ଆପଣେଇବା ସହ ପ୍ରମୋଦରୁ ଶ୍ରୀ ଶ୍ରୀ ହୁଗୁଳା ନାଁରେ ନିଜକୁ ପରିଚିତ କରି ଖୁସି ହେବା ସମ୍ପର୍କରେ ସେ କୁହନ୍ତି – ”ସତ କହିଲେ ସାହିତ୍ୟର ତ ଅନେକ ଦିଗ ଅଛି, ହେଲେ ନିଜର ମାନସିକତା ଅନୁସାରେ କବି ବା ଲେଖକ ତା’ ଅଜାଣତରେ ଗୋଟିଏ ଦିଗକୁ ଢଳିଯାଏ। କୁହାଯାଏ ସାହିତ୍ୟ ହେଉଛି ସମାଜର କଲ୍ୟାଣ ପାଇଁ। ସାହିତ୍ୟ ମାଧ୍ୟମରେ ମନୋରଞ୍ଜନ କରି ହେଉ ବା ସାହିତ୍ୟ ମାଧ୍ୟମରେ ସମାଜକୁ ସଜାଡ଼ିକି ହେଉ। କେତେବେଳେ ବାବୁରେ, ଧନରେ କହି କାହାକୁ ସଜଡା ଯାଏ, ପୁଣି କେତେବେଳେ ପାଞ୍ଚଣ ବି ଧରିବାକୁ ପଡ଼େ। ଅନେକ ସମୟରେ ଦେଖାଯାଏ ପାଞ୍ଚଣ ଉପାୟଟି ଭଲ କାମ ଦିଏ। ସାହିତ୍ୟରେ ବ୍ୟଙ୍ଗ ହେଉଛି ପାଞ୍ଚଣ।
ପାଞ୍ଚଣ ବି ଧରିବା ସମସ୍ତଙ୍କ ପାଇଁ ସମ୍ଭବ ହୁଏନି। ଏହାକୁ ଧରିବାର କଳା କୌଶଳ ମଧ୍ୟ ଦରକାର। ନଚେତ ପାଞ୍ଚଣର ଦୁର୍ବ୍ୟବହାର ହେବ। ପାଞ୍ଚଣ ଯେପରି ଦୁଷ୍ଟ ପିଲାଙ୍କୁ ସଜାଡେ, ବ୍ୟଙ୍ଗ ମଧ୍ୟ ଦୁଷ୍ଟ ଲୋକଙ୍କୁ ବାଟକୁ ଆଣିଥାଏ, ଯାହା ସାହିତ୍ୟର ଏକ ମୁଖ୍ୟ ଅଙ୍ଗ। ଦ୍ୱିତୀୟ କଥା ହେଲା, କାହାକୁ ଦୁଃଖ ଦେବା, କଷ୍ଟ ଦେବା, ଯନ୍ତ୍ରଣା ଦେବା ଅତି ସହଜ କଥା। ହେଲେ ଜଣକୁ ହସେଇବା କାଠିକର ପାଠ। ହାସ୍ୟ ରଚନା ଦ୍ୱାରା ଯଦି ଜଣଙ୍କର ସବୁ ଦୁଃଖକୁ ଭୁଲେଇ ତାକୁ ହସେଇ ପାରିବା, ତେବେ ଏହାଠାରୁ ବଡ଼ ସେବା ଆଉ ବା କ’ଣ ହୋଇପାରେ। ତେଣୁ ହାସ୍ୟବ୍ୟଙ୍ଗ ରଚନା ଏମିତି ଏକ ସମାଜ ସେବା, ଯାହାକୁ ନେଇଆଣି ଥୋଇପାରିଲେ ହେଲା। ଆଉ ହସେଇବା ଯାହାର ଉଦ୍ଦେଶ୍ୟ, ସେ ହସେଇବାର ସବୁ ପ୍ରକାର ଉଦ୍ୟମ କରେ। ସବୁ ସମୟରେ, ସବୁ କ୍ଷେତ୍ରରେ, ସବୁ ପରିସ୍ଥିତିରେ ସେ ହସେଇବାର ଉପାୟ ଖୋଜେ। ନାଁ ମଧ୍ୟ ସେ ମଧ୍ୟରୁ ଗୋଟିଏ।
ମୁଁ ଯେତେବେଳେ ଏକ ମଞ୍ଚରେ ପ୍ରଥମେ ଶ୍ରୀଯୁକ୍ତ ସତ୍ୟାନାଶ, ଶ୍ରୀମାନ ସର୍ବଗିଳା, ଡକ୍ଟର କୁଳାଙ୍ଗର ଭଳି ଅଜବ ନା ଶୁଣିଥିଲି ଆଶ୍ଚର୍ଯ୍ୟ ହୋଇଥିଲି ଆଉ ହସି ବି ଥିଲି। ନାଁ ବି ଜଣକୁ ହସେଇପାରେ ଏ ଧାରଣା ମୋର ସେବେ ଜନ୍ମିଥିଲା। ମୁଁ ବି ଚିନ୍ତା କରିଥିଲି ମୋ ନାଁ ବି ଜଣକୁ ହସାଉ। ଏହି ଚିନ୍ତା ଭିତରେ ଶ୍ରୀ ଶ୍ରୀ ହୁଗୁଳା ନାମଟି ଆସିଲା। ନିଜକୁ ବି ଖୁବ୍ ହସ ଲାଗିଲା। ତେଣୁ ନିଷ୍ପତ୍ତି ନେଲି ଏହି ନାଁ ନିଶ୍ଚିତ ପାଠକ ଓ ଦର୍ଶକଙ୍କୁ ହସର ଖୋରାକ ଦେବ। ଏହି ନାଁ ର ଆଉ ଏକ ଯଥାର୍ଥତା ହେଲା, ଜଣେ ସବୁ ଦିଗରୁ ଖୋଲା ବା ହୁଗୁଳା ନ ହେଲେ ଜଣକୁ ହସେଇବା ସହଜ ନୁହେଁ। ତେଣୁ ନାମ, କାମ ସମାନ ହେବା ଜରୁରୀ।“
ସତରେ ମଣିଷ କେବଳ ହସେଇପାରେ କିନ୍ତୁ ଖୁବ୍ କମ୍ ମଣିଷ ହସେଇବାର ଠିକା ନେଇଥାନ୍ତି। ଏଇ ହସ ଦିବସରେ ସେଇଭଳି କିଛି ସରସ ସୁନ୍ଦୁରିଆ ବିକୃତିଆ ନାମାଧାରୀ ହାସ୍ୟ କବି କଳାକାରଙ୍କ କଥା, ଯେଉଁମାନେ ଦୁର୍ଘଟଣାର ପାହାଡ଼ ମାଡି ବସିଲାବେଳେ ଫୁ କରି ହସି ହସି ଧୂଳି ଭଳି ଉଡେଇ ପାରନ୍ତି। ଯନ୍ତ୍ରଣାର ନିଆଁହୁଳାକୁ ‘ସର୍ବଗିଳା’ ସାଜି ଗିଳିପାରନ୍ତି। ଦୁଃଖ କ୍ଳେଶକୁ ‘ସତ୍ୟାନାଶ’ କରିଦିଅନ୍ତି। ଅଧର୍ମୀ ପାପୀଙ୍କୁ ‘ଧର୍ମଛଡା’ ବନେଇ ପାରନ୍ତି। ମାତ୍ର ଆପେ ‘କୁଳାଙ୍ଗାର’ ବୋଲେଇ, କୂଳ ଲଂଘନ ନ କରି ‘ହୁଗୁଳା’ ହୋଇ ଫୁଙ୍ଗୁଳା ମନରେ ବୁଲି ପାରନ୍ତି।
-ରୋଜାଲିନ୍ ମହାନ୍ତି