ହାଟ କରୁଛି ହଟହଟା

ଖମାର,୧୯।୪(ଡି.ଏନ.ଏ.) ପାଲଲହଡ଼ା ବ୍ଲକ ଖମାର ବଜାର ରାସ୍ତା ପାର୍ଶ୍ୱରେ ସୋମବାରିଆ ବସୁଥିବା ସାପ୍ତାହିକ ହାଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲୁଛି। ଏଥିଯୋଗୁ ବେପାରୀ, ଗ୍ରାହକ ଓ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନେକ ସମୟରେ ରାସ୍ତା ଜାମ୍‌ ହେଉଥିବା ବେଳେ ଦୁର୍ଘଟଣା ଆଶଙ୍କା ସର୍ବଦା ଲାଗି ରହୁଛି। ପ୍ରଶାସନ ପକ୍ଷରୁ ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ପୁରୁଣା ହାଟ ପଡ଼ିଆରେ ହାଟ ବସୁଥିଲା। କିନ୍ତୁ ଖମାର ପଞ୍ଚାୟତ ତରଫରୁ ପୁରୁଣା ହାଟ ପଡ଼ିଆରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ବଳକା ଜାଗାରେ ଆଗାମୀ ଦିନରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏଥିପାଇଁ ୨ବର୍ଷ ତଳେ ତତ୍କାଳୀନ ସରପଞ୍ଚ ଓ ପ୍ରଶାସନ ସାପ୍ତାହିକ ହାଟକୁ ଅସ୍ଥାୟୀ ଭାବେ ଖମାର- ରେଙ୍ଗାଳି ମୁଖ୍ୟ ରାସ୍ତା କଡ଼କୁ ଉଠାଇ ଦେଇଥିଲେ। ନୂତନ ହାଟ ପଡ଼ିଆ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨ ବର୍ଷ ପରେ ମଧ୍ୟ ସ୍ଥାୟୀ ହାଟ ପାଇଁ କୌଣସି ସୁବିଧା ପ୍ରଶାସନ ତରଫରୁ ହୋଇପାରିନାହିଁ। ଫଳରେ ରାସ୍ତା ପାର୍ଶ୍ୱରେ ଖମାର ଛକ ଠାରୁ ମୁଣ୍ଡକାଟି ପୋଲ ପର୍ଯ୍ୟନ୍ତ ହାଟରେ ବେପାରୀମାନେ ବସି ପରିବା ବିକ୍ରି କରୁଛନ୍ତି। ଏହି ହାଟ ଉପରେ ଆଖ ପାଖ ଅଞ୍ଚଳର ପ୍ରାୟ ୧୦୦ରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି। ହାଟ ପାଳି ଦିନ ପ୍ରବଳ ଭିଡ଼ ହେଉଛି। ପାର୍କିଂ ସୁବିଧା ନ ଥିବାରୁ ବେପାରୀ ଓ ଗ୍ରାହକ ରାସ୍ତା ପାର୍ଶ୍ୱରେ ଗାଡି ରଖୁଛନ୍ତି। ଏହା ଭିଡ଼କୁ ଅଧିକ ବଢ଼ାଇ ଦେଇଛି। ଏହି କାରଣରୁ ୧୪୯ ନଂ. ଜାତୀୟ ରାଜପଥ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜାମ ରହୁଛି। ବେଳେ ବେଳେ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖାଯାଉଛି। ଏହି ରାସ୍ତା ଦେଇ ସ୍କୁଲ, କଲେଜକୁ ଛାତ୍ରୀଛାତ୍ରମାନେ ଯାଉଥିବାବେଳେ ମେଡିକାଲକୁ ରୋଗୀମାନେ ଯାଉଛନ୍ତି। କିନ୍ତୁ ଟ୍ରାଫିକ ଜାମ୍‌ ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Share