କାମାକ୍ଷାନଗର, ୨୫।୧୨: ହାଟ କେବଳ ବ୍ୟବସାୟିକ କେନ୍ଦ୍ରସ୍ଥଳ ନୁହେଁ, ଅଧିକନ୍ତୁ ଏହା ସାମାଜିକ, ସାଂସ୍କୃତିକ ଭାବଧାରାର ପ୍ରତୀକ। ଦ୍ରୁତ ସହରୀକରଣ, ମଲ୍ କଲ୍ଚର, ଅନ୍ଲାଇନ୍ ମାର୍କେଟିଂ ସତ୍ତ୍ୱେ ହାଟ ନିଜର ଅସ୍ତିତ୍ୱ ବଜାୟ ରଖିଛି। ତେବେ ଶତାଧିକ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ଯୋଡୁଥିବାରୁ ଏହି ବ୍ୟବସାୟିକ କେନ୍ଦ୍ରସ୍ଥଳ ପ୍ରଶାସନିକ ଅବହେଳା ଯୋଗୁ ବିକାଶର ବାଟ ପାଉନି। କାମାକ୍ଷାନଗର ସୋମବାର ସାପ୍ତାହିକ ହାଟ ଏହାର ସଦ୍ୟତମ ଉଦାହରଣ।
ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଉପକଣ୍ଠରେ କେଉଁ ଆବହମାନ କାଳରୁ ବସୁଛି ସାପ୍ତାହିକ ହାଟ। ନିର୍ଦ୍ଦିଷ୍ଟ ଇତିହାସ ନ ଥିଲେ ବି ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହା ନିଜର ଅସ୍ତିତ୍ୱ ଜାହିର କରିଥିଲା। କାମାକ୍ଷାନଗରର ପୁରାତନ ନାମ ‘ମଢ଼ି’ ଅନୁଯାୟୀ ଏହାକୁ କେହି କେହି ମଢ଼ି ହାଟ ବୋଲି ମଧ୍ୟ କହିଥାନ୍ତି। ଦୀର୍ଘ ୬୦ ବର୍ଷ ହେଲା ଢେଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର ଏବଂ କଟକ ଜିଲାର ବ୍ୟବସାୟୀଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ଏହି ସ୍ଥାନ। ପୂର୍ବରୁ ଏଠାରେ କେବଳ ତଟକା ପରିବା ମିଳୁଥିଲା। କିନ୍ତୁ ପରିବର୍ତ୍ତିତ ସମୟ ସହିତ ତାଳଦେଇ ଏବେ ହାଟରେ ଘରକରଣା ସାମଗ୍ରୀ, ଶୁଖୁଆଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଛି। ବିଶେଷ କରି ଆଞ୍ଚଳିକସ୍ତରରେ ଉତ୍ପାଦିତ ଫଳ, ପରିବା, ଶସ୍ୟ ଅପେକ୍ଷାକୃତ ସୁଲଭଦରରେ ମିଳୁଥିବାରୁ କାମାକ୍ଷାନଗର ସହର ଉପଖଣ୍ଡବାସୀଙ୍କ ନିର୍ଭରଯୋଗ୍ୟ ବ୍ୟବସାୟିକ କେନ୍ଦ୍ର ପାଲଟିଛି ଏହି ହାଟ। ପୂର୍ବରୁ ସାପ୍ତାହିକ ହାଟ ପରିଚାଳନା ଦାୟିତ୍ୱ ବ୍ଲକ କର୍ତ୍ତୃପକ୍ଷ କରୁଥିବାବେଳେ ୧୫ ବର୍ଷ ହେଲା ଏହା ରହିଛି କାମାକ୍ଷାନଗର ଏନ୍ଏସି ଅଧୀନରେ। ଚଳିତବର୍ଷ ୪ ଲକ୍ଷ ୨୩ ହଜାର ୭୭୫ ଟଙ୍କାରେ ହାଟ ନିଲାମ କରାଯାଇଛି। ନିଲାମଧାରୀ ବ୍ୟବସାୟୀଙ୍କଠାରୁ ମାହାସୁଲ ଆଦାୟ କରୁଛନ୍ତି। ହାଟ ପାଇଁ ଏନ୍ଏସିକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ମିଳୁଥିଲେ ମଧ୍ୟ ବ୍ୟବସାୟୀଙ୍କ ପାଇଁ କୌଣସି ସୁବିଧା କରାଯାଉନାହିଁ। କିଛି ବର୍ଷ ମଧ୍ୟରେ ହାଟର ବ୍ୟବସାୟୀଙ୍କ ସଂଖ୍ୟା ୩୦୦ ଟପିଛି। ସେମାନଙ୍କ ବସିବା ଲାଗି ପିଣ୍ଡି ବ୍ୟବସ୍ଥା ନାହିଁ। ଜବରଦଖଲରେ ଅନେକ ଅଞ୍ଚଳ ରହିଥିବାରୁ ପରିସର ସଙ୍କୁଚିତ ହୋଇଯାଇଛି। ସ୍ଥାନାଭାବରୁ ବ୍ୟବସାୟୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ବସୁଛନ୍ତି। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ହାଟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବିଚାର ବିଭାଗୀୟ ଅଦାଲତ, ବ୍ଲକ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ହାଟରେ ପ୍ରଶାସନ ପକ୍ଷରୁ ସୁବିଧା କରାଯାଇ ନ ଥିବାରୁ କିଏ ପାଲ ଟାଣି ତ ଆଉ କି ଛଣ ଛପର କରି ବ୍ୟବସାୟ ଚଳାଉଛନ୍ତି। ଅପରପକ୍ଷେ କେତେଜଣ ବ୍ୟକ୍ତି ହାଟ ବସୁଥିବା ସ୍ଥାନକୁ ବ୍ୟକ୍ତିଗତ କହି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି, ଯାହା ବିକାଶରେ କଣ୍ଟା ସାଜିଛି। ହଜାର ହଜାର ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ସାପ୍ତାହିକ ହାଟର ଉନ୍ନତି କରାଯାଉ ନ ଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ତୁରନ୍ତ ସମାଧାନ କରିବା କିମ୍ବା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।
ଅନ୍ୟତ୍ର ସ୍ଥାନାନ୍ତର ହେବ
ପୂର୍ବାପେକ୍ଷା ହାଟକୁ ଅଧିକ ବ୍ୟବସାୟୀ ଆସୁଥିବାରୁ ସ୍ଥାନାଭାବ ସମସ୍ୟା ସୃଷ୍ଟି ହୋଇଛି। ବେପାରୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ବସୁଛନ୍ତି। ବ୍ୟକ୍ତିଗତ ଜାଗାରେ ହାଟ କରାଯାଉଥିବା ଅଭିଯୋଗ ଆଣି କେତେଜଣ ଲୋକ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏହାର ବିକାଶ ହୋଇପାରୁନାହିଁ। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଉଦ୍ୟମ ଚାଲିଛି।
-ଇଂ. ବିରଜା ପ୍ରସାଦ ରଥ, ଏନ୍ଏସି ନିର୍ବାହୀ ଅଧିକାରୀ
ଆଗଭଳି ବ୍ୟବସାୟ ହେଉନାହିଁ
୧୦ବର୍ଷ ହେଲା ହାଟକୁ ବ୍ୟବସାୟ କରିବାକୁ ଆସୁଛି। ଏଠାକାର ଗ୍ରାହକ ସ୍ବତନ୍ତ୍ର। ସହରରେ ବଡ଼ ବଡ଼ ଦୋକାନ ଖୋଲିବା ପରେ ଯଦିଓ ଆଗଭଳି ବ୍ୟବସାୟ ହେଉନାହିଁ, ତଥାପି କାମାକ୍ଷାନଗର ସାପ୍ତାହିକ ହାଟର ଆକର୍ଷଣ ନିଆରା। ଗୋଟିଏ ସ୍ଥାନରେ ତଟକା ପରିବା, ଶୁଖୁଆ ସମେତ ଘରକରଣା ସାମଗ୍ରୀ ମିଳୁଥିବାରୁ ଏହା ଗ୍ରାହକଙ୍କ ପସନ୍ଦ ପାଲଟିଛି।
-ଅଦ୍ୱୈତ ଦାସ, ବ୍ୟବସାୟୀ
ବିକାଶ ପ୍ରତି ନଜର ନାହିଁ
ବାପାଙ୍କ ସହ ୧୬ବର୍ଷ ବୟସରୁ ଆସି ହାଟରେ ବ୍ୟବସାୟ ଆରମ୍ଭ କରିଥିଲି। ଏବେ ୫୬ ବର୍ଷ ହେଲାଣି। ଆଗରୁ କମ୍ ଖର୍ଚ୍ଚରେ ଭଲ ବ୍ୟବସାୟ ହେଉଥିଲା। ଜାଗା ସମସ୍ୟା ବି ନ ଥିଲା। ଏବେକାର ପରିସ୍ଥିତି ଭିନ୍ନ। ଏନ୍ଏସି କେବଳ ମାହାସୁଲ ଆଦାୟରେ ବ୍ୟସ୍ତ। ବିକାଶ ପ୍ରତି କାହାରି ସାମାନ୍ୟତମ ଆନ୍ତରିକତା ନାହିଁ।
-ପୁଷ୍ପରଞ୍ଜନ ସାହୁ, ବ୍ୟବସାୟୀ
ବର୍ଷତମାମ ହୀନସ୍ତା ହେଉଛୁ
କେତେକ ସ୍ବତନ୍ତ୍ର ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ସାପ୍ତାହିକ ହାଟ ଚାଲିଛି। କାମାକ୍ଷାନଗର ଅଞ୍ଚଳର ଅର୍ଥନୈତିକ କାରବାରର ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିଲେ ହେଁ ଏହାର ବିକାଶ ପ୍ରତି କାହାରି ସାମାନ୍ୟତମ ଦରଦ ନାହିଁ। ଶୌଚାଳୟ କି ପିଣ୍ଡି ନାହିଁ। ଖରା, ବର୍ଷା ଶୀତକାକରରେ ବର୍ଷତମାମ ହୀନସ୍ତା ହେଉଛୁ।
-ରାଜୀବ ଲୋଚନ ସାହୁ, ବ୍ୟବସାୟୀ
ଉପେକ୍ଷିତ ହୋଇ ରହିଛି
ହାଟରେ ବ୍ୟବସାୟକୁ ୪୨ ବର୍ଷ ବିତିଲାଣି। ଦୋକାନୀଙ୍କ ସଂଖ୍ୟା ବଢ଼ିବା ସହ ଦରକୁ ନେଇ ପ୍ରତିଯୋଗିତା ମଧ୍ୟ ହେଉଛି। ତେଣୁ ବ୍ୟବସାୟ କମୁଛି। ହାଟ ସହ ପୁରୁଣା ଭାବ ଯୋଡ଼ି ହୋଇଥିବାରୁ ଛାଡ଼ି ହେଉନାହିଁ। ଏଭଳି ପୁରାତନ ହାଟ ଉପେକ୍ଷିତ ହୋଇ ରହିବା ପ୍ରଶାସନର ବିଫଳତା।
-ମଥୁରି ବେହେରା, ବ୍ୟବସାୟୀ