Categories: ଖେଳ

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍‌ ବିଜୟ

ଚେନ୍ନାଇ, ୧୪ା୧୦ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପରୋ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଚମତ୍କାର ଫର୍ମରେ ରହିଥିବା ନ୍ୟୁଜିଲାଣ୍ଡ ତୃତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜୟ ହାସଲ କରି ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପ୍ରତ୍ୟାବର୍ତ୍ତନରେ କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ୭୮ ରନ୍‌ କରିଥିବା ବେଳେ ଡାରିଲ ମିଚେଲଙ୍କ ୮୯* ରନ୍‌ ବଳରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କର ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୨୪୫ ରନ୍‌ ସ୍କୋର କରିଥିଲା। ଜବାବରେ ୪୨.୫ ଓଭରରେ ୨ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୨୪୮ ରନ୍‌ କରିଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ। ଦଳର ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଦଳ ୫୬ ରନ୍‌ରେ ୪ ଉଇକେଟ ହରାଇଥିଲା। ଲିଟନ ଦାସ(୦), ତାଞ୍ଜିଦ୍‌ ହସନ(୧୬), ମେହିଦୀ ହସନ ମିରାଜ(୩୦) ଓ ନଜମୋଲ ହୋସେନ୍‌ ଶନ୍ତୋ(୭) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସାକିବ ଅଲ ହସନ୪୦ ଓ ମୁସଫିକୁର ରହିମ ୬୬ ରନ୍‌ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଉଭୟ ୫ମ ଉଇକେଟରେ ୯୬ ରନ୍‌ ଯୋଡିଥିଲେ।ଶେଷ ଆଡକୁ ମହମ୍ମଦୁଲ୍ଲା ଅପରାଜିତ ୪୧ ରନ୍‌ କରିବାରୁ ବାଂଲାଦେଶ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍‌ ୩ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ କରିଥିବା କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ପ୍ରଦର୍ଶନ ସହିତ ୭୮ ରନ୍‌ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ର ସଫଳ ଖେଳାଳି ରାଚିନ୍‌ ରବୀନ୍ଦ୍ର ଓପନ କରିଥିବା ବେଳେ ମାତ୍ର ୯ ରନ୍‌ କରି ଆଉଟ ହୋଇଥିଲେ। ତେବେ ଡେଭନ୍‌ କନ୍‌ଓ୍ବେ (୪୫) ଓ ଓ୍ବିଲିୟମସନ୍‌ ଦ୍ୱିତୀୟ ଉଇକେଟରେ ୮୦ ରନ୍‌ ଯୋଡିଥିଲେ। ଏସିଏଲ୍‌ ଇଞ୍ଜୁରୀ ପରେ ଫେରିଥିବା ଓ୍ବିଲିୟମସନ୍‌ ଦୃଢ ଭାବରେ ବାଂଲାଦେଶୀ ସ୍ପିନରଙ୍କ ମୁକାବିଲା କରିଥିଲେ। ଏହି ଇନିଂସରେ ୧୦୭ ବଲ୍‌ ଖେଳି ସେ ୮ ଚୌକା ଓ ୧ ଛକା ମାରିଥିଲେ। ଏକ ଥ୍ରୋ ତାଙ୍କ ଆଙ୍ଗୁଠିରେ ବାଜିବା ପରେ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ଡାରିଲ୍‌ ମିଚେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୭ ବଲ ଖେଳି ୬ ଚୌକା ଓ ୪ ଛକା ମାରି ୮୯ ରନ୍‌ କରି ଦଳକୁ ଫିନିଶ ଲାଇନା ପାର କରାଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ଓ ଶାକିବ ଅଲ ହସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୫୦ ଓଭରରେ ୨୪୫/୯( ମୁଶଫିକୁର ରହିମ୍‌-୬୬, ମହମ୍ମଦୁଲ୍ଲା-୪୧*, ସାକିବ ଅଲ ହସନ-୪୦, ଲୋକି ଫର୍ଗୁସନ୍‌-୩/୪୯, ଟ୍ରେଣ୍ଟ ବୋଲ୍ଟ-୨/୪୫, ମ୍ୟାଟ ହେନରୀ-୨/୫୮)।
ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨୪୮/୨(ଡାରିଲ୍‌ ମିଚେଲ୍‌-୮୯*, କେନ୍‌ ଓ୍ବିଲିୟମସନ୍‌-୭୮ (ରିଟାୟର୍ଡ), ଡେଭନ୍‌ କନ୍‌ଓ୍ବେ-୪୫, ମୁସ୍ତାଫିଜୁର ରେହମାନ-୧/୩୬, ସାକିବ୍‌ ଅଲ ହସନ-୧/୫୪)।

Share