ଲୋକାୟୁକ୍ତରେ ହାଟଡିହୀ ବ୍ଲକ ମାମଲା : ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ, ଦୁଇ ଜଣଙ୍କୁ ସାନି ନୋଟିସ ଜାରି କଲେ ଲୋକାୟୁକ୍ତ

ହାଟଡିହୀ,୨୬।୯(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ସୋଲପଟା ଗ୍ରାମରେ ମନରେଗା ଯୋଜନାରେ ଏକ ପୋଖରୀ କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଲୋକାୟୁକ୍ତ ନିଜ ଆଡୁ ଏକ ମାମଲା କେସ ନଂ ଏଲୱାଇ ୬୦୩/୨୦୨୦ ଦାୟର କରିଥିଲେ । ଦୀର୍ଘ ଦିନ ପରେ ସେହି ସୋଲପଟା ଗ୍ରାମର ହିମାଂଶୁ ଶେଖର ନାୟକ ନାମକ ଜଣେ ବ୍ୟକ୍ତି ଉକ୍ତ ପୋଖରୀ କାର୍ଯ୍ୟକୁ ନେଇ ଆଉ ଏକ ଅଭିଯୋଗ କେସ ନଂ ଏଲୱାଇ ୧୨୨୫/୨୦୨୦ ଲୋକାୟୁକ୍ତଙ୍କ ନିକଟରେ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଲୋକାୟୁକ୍ତ ଦୁଇଟି ଯାକ ମାମଲାକୁ ଏକାଠି ଶୁଣାଣି କରୁଛନ୍ତି । ମାମଲାର ଶୁଣାଣି ଚାଲିଥିବା ଥିବାବେଳେ ଲୋକାୟୁକ୍ତ ୨୦୧୫-୧୬ ରୁ ୨୦୨୦-୨୧ ପର୍ଯ୍ୟନ୍ତ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଗତ ସେପ୍ଟେମ୍ବର ୧୫ ଶୁଣାଣରେ ଲୋକାୟୁକ୍ତ ଜାରି କରିଥିବା ନିଦ୍ଦେଶରେ ଦର୍ଶାଯାଇଛି ଯେ, ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ୍ୟୁବରଣ କରି ସାରିଛନ୍ତି । ସୁଶୀଲ ସେଠ ଏବଂ ଶଶାଙ୍କ ଶେଖର ମୁର୍ମୁ ଦୁଇ କର୍ମଚାରୀଙ୍କୁ ସାନି ନୋଟିସ ଜାରି ହୋଇଛି। ପୂର୍ବତନ ବିଡ଼ିଓ ରମେଶ ହାଁସଦା ଜବାବ ପ୍ରଦାନ କରିଥିବା ବେଳେ ଜିଆରଏସ ମନୋଜ ମହାନ୍ତି ଏବଂ ପୂର୍ବତନ ସରପଞ୍ଚ ପ୍ରତିଭା ନାଏକ ଓକିଲ ଙ୍କ ଜରିଆରେ ହଜାର ହୋଇଛନ୍ତି । କେସର ଶୁଣାଣି ଆସନ୍ତା ଡିସେମ୍ବର ୧ରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଅପର ପକ୍ଷେ କେସର ଶୁଣାଣି ଚାଲିଥିବା ବେଳେ ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ପୂର୍ବରୁ କେନ୍ଦୁଝର ଜିଲାପାଳଙ୍କୁ ଦେଇଥିବା କାର୍ଯ୍ୟନୁଷ୍ଠାନ ନିର୍ଦେଶ ସମ୍ପର୍କିତ ରିପୋର୍ଟ ଲୋକାୟୁକ୍ତ ମଗାଇ ଥିଲେ l ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ l ଅନ୍ୟ ଦୁଇ ମାମଲାରେ ହାଇକୋର୍ଟ ୬ଜଣଙ୍କୁ ନୋଟିସ ଜାରି କରିଛନ୍ତି।