Categories: ଜାତୀୟ

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୩ : ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ଘୃଣା ଭାଷଣ ବିରୋଧରେ ଏକ ପିଟିଶନର ଶୁଣାଣି କରୁଥିବାବେଳେ ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ ପଚାରିଛନ୍ତି ଯେ ଏଫଆଇଆର ପଞ୍ଜିକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି କାରଣ କେବଳ ଅଭିଯୋଗ ଦାଖଲ କରିବା ଘୃଣାର ବକ୍ତବ୍ୟର ସମସ୍ୟାର ସମାଧାନ କରି ପାରିବ ନାହିଁ।

ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ ଘୃଣା ଭାଷଣ ସମ୍ପର୍କରେ ୧୮ ଟି ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଅତିରିକ୍ତ ସୋଲିସିଟର ଜେନେରାଲ କେ.ଏମ ନଟରାଜଙ୍କ ଆପତ୍ତି ସତ୍ତ୍ୱେ ବୁଧବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି।

ସମ୍ବିଧାନରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ପରିଗଣିତ କରାଯାଏ ବୋଲି ଅନୁଧ୍ୟାନ କରି ଗତ ବର୍ଷ ଅକ୍ଟୋବର ୨୧ ରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଘୃଣା ଭାଷଣ ଉପରେ କଟକଣା ଲଗାଇବାକୁ କହିଥିଲେ। ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ପାଇଁ କହିଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେୁ ପ୍ରଶାସନ ତରଫରୁ ଯେ କୌଣସି ବିଳମ୍ବ କୋର୍ଟର ଅବମାନନା ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

Share