ଘୃଣା ମନ୍ତବ୍ୟ ରୋକିବା ଜରୁରୀ

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ବିତର୍କରେ ଭାଗ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଇସ୍‌ଲାମ ଧର୍ମର ସଂସ୍ଥାପକ ପେଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଯେଉଁ ଅସୂୟାସୂଚକ ମନ୍ତବ୍ୟ ଦେଲେ, ତାକୁ ନେଇ ଉଭୟ ଦେଶ ଭିତରେ ଓ ବିଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ନୂପୁରଙ୍କ ଉତ୍ତେଜକ ମନ୍ତ୍ରବ୍ୟକୁ ଦେଶ ଭିତରେ ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ଏବଂ ମୁସଲମାନ ସମ୍ପ୍ରଦାୟର ଅନେକ ପ୍ରମୁଖ ବ୍ୟକ୍ତି ନିନ୍ଦା କରିଥିଲେ। କାନପୁରରେ ଏହାକୁ ନେଇ ହିଂସ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା। ଏହି ବକ୍ତବ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଦେଶରେ ବିଶେଷ କରି ମୁସଲମାନ ବହୁଳ ଆରବ ଦେଶଗୁଡ଼ିକରେ ଜୋରଦାର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆମ ସହ ଉତ୍ତମ ସମ୍ପର୍କ ରଖି ଆସିଥିବା କତାର, ସାଉଦି ଆରବ, ୟୁଏଇ, କୁଏଟ୍‌, ଇରାନ ପରି ଆରବ ଦେଶଗୁଡ଼ିକ ପକ୍ଷରୁ ଏହାର ଆନୁଷ୍ଠାନିକ ପ୍ରତିବାଦ କରାଯାଇଛି। ଉଦ୍‌ବେଗର କଥା, ସେସବୁ ଦେଶର ନାଗରିକମାନେ ବି ଭାରତ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ସାମଗ୍ରୀର ବର୍ଜନ ଲାଗି ଅଭିଯାନ ଫଳରେ ସେଠାକାର ବଜାରରେ ଭାରତୀୟ ସାମଗ୍ରୀ ବିକ୍ରି ନ ହୋଇ ପଡ଼ିରହିଛି।
ନୂପୁର ଶର୍ମାଙ୍କ ବକ୍ତବ୍ୟ ଲାଗି ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଦେଶର ସମ୍ମାନହାନି ହେବା ସହ ଆରବ ଦେଶଗୁଡ଼ିକରେ ଭାରତ ବିରୋଧୀ ମାନସିକତା ସୃଷ୍ଟି ହେବା ଚିନ୍ତାଜନକ। କାରଣ ଆମ ଦେଶର ଅର୍ଥନୈତିକ ବିକାଶରେ ଆରବ ଦେଶଗୁଡ଼ିକର ଭୂମିକା ରହିଛି। ଆଜିର ଦିନରେ ୩.୨ କୋଟି ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ କେବଳ ଆରବ ଦେଶଗୁଡ଼ିକରେ ହିଁ ୧.୫ କୋଟିରୁ ଅଧିକ ବସବାସ କରୁଛନ୍ତି। ପ୍ରବାସୀଙ୍କ ଜରିଆରେ ଭାରତକୁ ଆସୁଥିବା ଭାରତର ମୋଟ ଆୟର ୫୫% କେବଳ ଆରବ ଦେଶଗୁଡ଼ିକରୁ ଆସୁଛି। ଏହାବ୍ୟତୀତ ଭାରତ ସେଠାକୁ ପ୍ରତିବର୍ଷ ୩ ଲକ୍ଷ କୋଟିର ରପ୍ତାନି କରୁଛି। ଆମର ମୋଟ ଅଶୋଧିତ ତେଲ ଆମଦାନୀର ୬୨ପ୍ରତିଶତ କେବଳ ଆରବ ଦେଶଗୁଡ଼ିକରୁ ହେଉଛି। ଏଭଳି ପରିସ୍ଥିତିରେ ଆରବ ଦେଶଗୁଡ଼ିକରେ ଦେଖାଯାଇଥିବା ପ୍ରତିକ୍ରିୟା ଭାରତର ଅର୍ଥନୀତି ଏବଂ ସେଠାରେ ରହୁଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।
ନିଜର ପ୍ରବକ୍ତାଙ୍କ ଉତ୍ତେଜକ ବକ୍ତବ୍ୟକୁ ନେଇ ବିଦେଶରେ ତୀବ୍ର ପ୍ରତିକ୍ରିୟାକୁ ଦେଖି ସରକାର ଓ ଶାସକ ଦଳ ରକ୍ଷାତ୍ମକ ସ୍ଥିତିକୁ ଆସିବା ସ୍ବାଭାବିକ। ହଠାତ୍‌ ଆମେ କୌଣସି ଧର୍ମ ପ୍ରତି ଘୃଣାରେ ବିଶ୍ୱାସ କରୁନାହୁଁ, ସବୁ ଧର୍ମକୁ ସମ୍ମାନ ଜଣାଉଛୁ ଏବଂ ସର୍ବଧର୍ମ ସମଭାବରେ ବିଶ୍ୱାସ କରୁଛୁ ବୋଲି ପ୍ରେସ୍‌ ବିବୃତି ଦେବାକୁ ପଡ଼ିଲା। ନୂପୁରଙ୍କ ଘୃଣାର ବକ୍ତବ୍ୟକୁ ସିଧାସଳଖ ଭାବେ ଅସ୍ବୀକାର ଓ ନାପସନ୍ଦ କରି ଦୀର୍ଘ ଦଶ ଦିନ ପରେ ହେଲେ ବି ତାଙ୍କୁ ପାର୍ଟିରୁ ନିଲମ୍ବିତ କରିବାକୁ ଏବଂ ଦିଲ୍ଲୀ ଭାଜପାର ମିଡିଆ ପ୍ରମୁଖ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିବାକୁ ପଡ଼ିଲା।
ତେବେ ବିଦେଶୀ ଚାପରେ ପଡ଼ି ଭାଜପା ନେତୃତ୍ୱ ନୂପୁରଙ୍କୁ ଦଳରୁ ନିଲମ୍ବିତ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଗିରଫ କରିବାକୁ ସାହସ ଦେଖାଇ ନାହାନ୍ତି। ଓଲଟା ତାଙ୍କର ଜୀବନକୁ ବିପଦ ରହିଛି ବୋଲି କହି ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇଛନ୍ତି। ଅନ୍ୟପକ୍ଷରେ ନିକଟରେ ଜ୍ଞାନବାପି ମସଜିଦ୍‌ ବିବାଦରେ ଶିବଲିଙ୍ଗକୁ ନେଇ ସୋସିଆଲ ମିଡିଆରେ କଟାକ୍ଷ ମାତ୍ର କରିଥିବା ଦୁଇଜଣ ପ୍ରଫେସରଙ୍କ ବିରୋଧରେ ପୋଲିସ ୨୪ ଘଣ୍ଟା ମଧ୍ୟରେ ମାମଲା ଦାଏର କରିଛି। ପ୍ରଫେସର ରତନଲାଲଙ୍କୁ ତୁରନ୍ତ ଗିରଫ କରାଯାଇଥିବା ବେଳେ ଭାଜପାର ସମର୍ଥକମାନେ ପ୍ରଫେସର ରବିକାନ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି। ଧାର୍ମୀୟ ଭାବନାକୁ ଆହତ କରିଥିବା ଅଭିଯୋଗରେ ଦୁଇ ଦଳିତ ପ୍ରଫେସରଙ୍କ ବିରୋଧରେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେଇଥିବା ସରକାର ନୂପୁର ଓ ନବୀନଙ୍କ କ୍ଷେତ୍ରରେ ଚୁପ୍‌ ରହିବା ସେମାନଙ୍କ ଦୋମୁଁହା ନୀତିକୁ ଦର୍ଶାଉଛି। ଧର୍ମୀୟ ଘୃଣା ସୃଷ୍ଟିକାରୀ ବିବୃତି ଦେବାରେ ନୂପୁର ଶର୍ମା ଦେଶରେ ପ୍ରଥମ କିମ୍ବା ଶେଷ ବ୍ୟକ୍ତି ନୁହନ୍ତି। ଗତ କିଛିବର୍ଷ ଧରି ଶାସକ ଦଳ ଓ ତା’ର ସମର୍ଥିତ ବ୍ୟକ୍ତି ଓ ସଙ୍ଗଠନମାନଙ୍କ ଦ୍ୱାରା ଦେଶରେ ଘୃଣା ସୃଷ୍ଟିକାରୀ ବିବୃତି ଦେବା ଜାରି ରହିଛି। ଆଜି ବିଦେଶୀ ଚାପରେ ସର୍ବଧର୍ମ ସମଭାବର କଥା କହୁଥିବା ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ରାଷ୍ଟ୍ରୀୟ ନେତୃତ୍ୱ ନିଜର ରାଜନୈତିକ ସ୍ବାର୍ଥ ପାଇଁ ଅତୀତରେ ବାରମ୍ବାର ଧର୍ମୀୟ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟ ଦେଇ ଆସିଛନ୍ତି। ବିଶେଷ କରି ଗୋଦି ମିଡିଆ ଦ୍ୱାରା ଆୟୋଜିତ ଟିଭି କାର୍ଯ୍ୟକ୍ରମଗୁଡ଼ିକ ଧର୍ମୀୟ ବିଦ୍ୱେଷ ସୃଷ୍ଟିର ଆଡ୍ଡାରେ ପରିଣତ ହୋଇଛି। ଜନଗଣଙ୍କ ଜ୍ୱଳନ୍ତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଅତ୍ୟନ୍ତ ସୁନିୟୋଜିତ ଭାବେ ଏହାକୁ ଆୟୋଜିତ କରାଯାଉଛି।
ଗତ କିଛିମାସ ମଧ୍ୟରେ ଦେଶର ହରିଦ୍ୱାର, ବାରାଣସୀ ପରି ବିଭିନ୍ନ ସ୍ଥାନରେ ଧର୍ମ ସଂସଦ ନାଁରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଖୋଲାଖୋଲି ଭାବେ ଘୃଣା ଓ ହିଂସାର ଆହ୍ବାନ ଦିଆଯିବା ଦେଖିବାକୁ ମିଳିଛି। ଏଭଳି ଘୃଣାର ଭାଷଣ ଦେବା, କେବଳ ଅପରାଧ ନୁହେଁ ବରଂ ସମ୍ବିଧାନ ବିରୋଧୀ। ଭାରତୀୟ ଫୌଜଦାରି ଆଇନର୧୫୩ (କ) ଓ ୫୦୫ (ଗ) ଧାରା ଅନୁଯାୟୀ ଏହା ଗୁରୁତର ଅପରାଧ। ପରିତାପର ବିଷୟ, ଏଭଳି ଧର୍ମୀୟ ଘୃଣା ଓ ବିଦ୍ୱେଷର ଖୋଲାଖୋଲି ପରିବେଷଣ ସତ୍ତ୍ୱେ ବି ଦେଶର ସରକାର ଚୁପ୍‌ ରହିଛନ୍ତି। ଅଥଚ ପ୍ରଧାନମନ୍ତ୍ରୀଙ୍କୁ ଗଡ୍‌ସେ ସମର୍ଥକ ବୋଲି କହି ନିଜର ଫେସ୍‌ବୁକ୍‌ରେ ପୋଷ୍ଟ କରିବା ଅଭିଯୋଗରେ ଗୁଜରାଟର ଦଳିତ ବିଧାୟକ ଜିଗ୍ନେସ୍‌ ମେୱାନୀଙ୍କୁ ନିକଟରେ ଆସାମର ଭାଜପା ସରକାରର ପୋଲିସ ଗୁଜରାଟ ଯାଇ ଗିରଫ କରିଛି। ସରକାରଙ୍କ ସହ ଭିନ୍ନମତ ରଖିଥିବା ଅନେକ ସାମାଜିକ କର୍ମୀ, ଖବରଦାତା ଓ ବୁଦ୍ଧିଜୀବୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାଏର କରିବା ସହ କେତେଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।
ତେବେ ଆଶ୍ୱସ୍ତିର ବିଷୟ, ବିଦେଶୀ ପ୍ରତିକ୍ରିୟା ପରେ ଭାଜପା ନେତୃତ୍ୱ ଧର୍ମୀୟ ବିଦ୍ୱେଷ ଓ ଉତ୍ତେଜକ ଭାଷଣ ଦେଉଥିବା ନିଜର ୩୭ ଜଣ ନେତାଙ୍କୁ ଚିହ୍ନଟ କରି ସେମାନଙ୍କୁ କୌଣସି ମନ୍ତବ୍ୟ ନ ଦେବାକୁ ତାଗିଦ୍‌ କରିଥିବା ଜଣାପଡ଼ିଛି। ଅନ୍ୟପଟେ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ଗୋଦି ମିଡ଼ିଆରେ ଧର୍ମ ଉପରେ କୌଣସି ପ୍ରକାର ଆଲୋଚନାରେ ଭାଗ ନ ନେବା ପାଇଁ ନିଜ ସମ୍ପ୍ରଦାୟର ଧର୍ମଗୁରୁ ଓ ବିଦ୍ୱାନମାନଙ୍କୁ ପରାମର୍ଶ ଦେଇଛି। ଯଦି ଉଭୟ ପରାମର୍ଶ କାର୍ଯ୍ୟକାରୀ ହେବ, ତା’ହେଲେ ଦେଶରେ ଗଣମାଧ୍ୟମ ଜରିଆରେ ପ୍ରଚାରିତ ହେଉଥିବା ଘୃଣାର ପ୍ରଚାର ପ୍ରସାର ଅନେକ ପରିମାଣରେ କମିଯିବ।
ସାଧାରଣତଃ ଶାସକମାନେ ନିଜର ଅପାରଗତା, ଜନବିରୋଧୀ ନୀତି ଏବଂ ଦରବୃଦ୍ଧି, ବେରୋଜଗାର ଆଦି ଜ୍ୱଳନ୍ତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟେଇବା ପାଇଁ ଏସବୁ ଧର୍ମୀୟ ପ୍ରସଙ୍ଗକୁ ଉଠାଇଥାନ୍ତି। ତେବେ ଦେଶରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା ଧର୍ମୀୟ ଘୃଣା ଓ ହିଂସାର ଭାଷଣକୁ ରୋକିବା ଜରୁରୀ। କାରଣ ଏହା ଆମ ସମାଜକୁ ବରବାଦ କରିଦେବ। ଆମର ବହୁଳତାବାଦୀ ସଂସ୍କୃତିକୁ ଧୂଳିସାତ୍‌ କରିବ। ରୋଜଗାର ଓ ବିକାଶ ପରିବର୍ତ୍ତେ ଆମର ଯୁବକମାନଙ୍କୁ ଦଙ୍ଗାକାରୀରେ ପରିଣତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri