ନୂଆଦିଲ୍ଲୀ,୨୮।୧୧: ଷ୍ଟାଣ୍ଡ ଅପ୍ କମେଡିଆନ ମୁନାଓ୍ବର ଫାରୁକି ରବିବାର କମେଡି ଛାଡ଼ୁଥିବା ସଙ୍କେତ ଦେଇଛନ୍ତି। ଭଙ୍ଗାରୁଜା ଭୟରେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ୧୨ଟି ଶୋ ବାତିଲ ହୋଇଯାଇଛି।
ନୂଆ ବର୍ଷ ଲାଗି ଇନ୍ଦୋରରେ ଆୟୋଜିତ ଏକ ଇଭେଣ୍ଟରେ ହିନ୍ଦୁ ଦେବାଦେବି ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଫାରୁକିଙ୍କୁ ଗିରଫ କରାଯାଇଥିଲା। ଏହା ପରଠୁ ତାଙ୍କୁ କୌଣସି ଇଭେଣ୍ଟ ପରଫର୍ମ କରିବାକୁ ସୁଯୋଗ ମିଳୁନାହିଁ। ବେଙ୍ଗାଲୁରୁର ଗୁଡ଼ ଶେଫର୍ଡ ଅଡିଟୋରିୟମରେ ରବିବାର ‘ଡୋଙ୍ଗରି ଟୁ ନାଓହିୟର’ ନାମକ ଇଭେଣ୍ଟରେ ତାଙ୍କୁ ପରଫର୍ମ କରିବାର ଥିଲା। କିନ୍ତୁ ବେଙ୍ଗାଲୁରୁ ପୋଲିସ ନିର୍ଦ୍ଦେଶ କ୍ରମେ ଆୟୋଜକମାନେ ଇଭେଣ୍ଟକୁ ବାତିଲ କରି ଦେଇଛନ୍ତି।
ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଫାରୁକି ଲେଖିଛନ୍ତି, ମୋ ମତରେ ଏହା ହେଉଛି ଅନ୍ତ। ମୋ ନାମ ମୁନାଓ୍ବର ଫାରୁକି ଏବଂ ମୋ ସମୟ ଶେଷ ହୋଇସାରିଛି। ଆପଣମାନେ ଚମତ୍କାର ଶ୍ରୋତା ଥିଲେ। ଗୁଡ଼ ବାୟ। ଏହାର କ୍ୟାପଶନରେ ଲେଖିଛନ୍ତି, ଘୃଣାର ବିଜୟ ହେଲା, ଆର୍ଟିଷ୍ଟ ହାରି ଗଲା। ଗୁଡ ବାୟ। ଅନ୍ୟାୟ।