Categories: ଜାତୀୟ

ଘୃଣା ବିସ୍ତାର କରୁଥିବା ବ୍ୟକ୍ତିଙ୍କୁ ଭାଜପା ଦେଲା ପୁରସ୍କାର: ଦାନିସ ଅଲ୍ଲୀ

ନୂଆଦିଲ୍ଲୀ,୨୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନର ଟୋଙ୍କ ଜିଲାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଧୁରୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀ ଆସନରୁ ଲୋକ ସଭା ସଦସ୍ୟ।
ଏ ସମ୍ପର୍କରେ ବିଏସପି ନେତା ଦାନିଶ ଅଲି ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତୁମର (ଭାଜପା) ଲୋକମାନେ ରାସ୍ତାରେ ଯେଉଁ କାମ କରୁଥିଲେ, ସେମାନେ ବର୍ତ୍ତମାନ ଦେଶର ଗଣତନ୍ତ୍ରର ମନ୍ଦିରରେ କରିଛନ୍ତି। ଘୃଣା ପ୍ରସାର କରୁଥିବା ଲୋକଙ୍କୁ ପୁରସ୍କାର ଦେଇଛି ଭାଜପା। ଏଥିରୁ ଚରିତ୍ର ଏବଂ ଚେହେରା ସାମ୍ନାକୁ ଆସିଛି। ଯଦି ଭାଜପା ଭାବୁଛି ଯେ ଏହିପରି ଘୃଣା ବିସ୍ତାର କରି ସେମାନେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଭୋଟ ଏକତ୍ର କରିବେ। ଏହା ସେମାନଙ୍କର ଭୁଲ ଚିନ୍ତାଧାରା। କାରଣ ଦେଶର ସାଧାରଣ ନାଗରିକ ଏହି ପ୍ରକାର ଭାଷାକୁ କଦାପି ଗ୍ରହଣ କରିବେ ନାହିଁ ଏବଂ ଭବିଷ୍ୟତରେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ଏବଂ ଯଦି ଏହା ନ ହୁଏ ତେବେ ବିଶ୍ୱାସ କରିବା ଯେ ଆମ ସମାଜ ନଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଆମରୋହା ଏମ୍‌ପି ଦାନିସଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ବିବାଦୀୟ ସ୍ଥିତି ଉପୁଜିଥିଲା। ବିରୋଧୀ ଦଳଗୁଡ଼ିକ ଏହାର ଦୃଢ଼ନିନ୍ଦା କରିଥିବାବେଳେ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

 

Share