Categories: ଜାତୀୟ

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି ନାମରେ ସ଼୍ବଘୋଷିତ ବାବା ସୁରଜ ପାଲଙ୍କ ସତ୍‌ସଙ୍ଗ ବେଳେ ଦଳା ଚକାଟାକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି । ଏହି ଘଟଣା ପରେ ବାବାଙ୍କ କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି । ବାବାଙ୍କର ୨୪ଟି ଆଶ୍ରମ ରହିଛି । ସେ କେଉଁ ଆଶ୍ରମରେ ଲୁଚିଛନ୍ତି ତାହା ଜଣାପଡ଼ିନାହିଁ । ବାବାଙ୍କର ୧୦୦ କୋଟିର ସମ୍ପତ୍ତି ସହ ବିଶାଳ ସାମ୍ରାଜ୍ୟ ରହିଥିବା ଜଣାପଡ଼ିଛି।

ଉତ୍ତର ପ୍ରଦେଶ ସହିତ ସାରା ଦେଶରେ ଏହି ଆତ୍ମଘୋଷିତ ବାବାଙ୍କର ସାମ୍ରାଜ୍ୟର ଚେର ଲମ଼୍ବିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସାହାରାରେ ବାବା ସୁରଜ ପାଲ୍‌ ଏହି କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରିଛନ୍ତି । ହେଲେ ବାବା ଗୋଟିଏ ଟଙ୍କା ନିଅନ୍ତି ନାହିଁ ବୋଲି ଭକ୍ତ ବିଶ଼୍ବାସ କରନ୍ତି । କିନ୍ତୁ ଏହି ବାବା ଟ୍ରଷ୍ଟ କରି ଏହାର ନାମରେ ଜାଗା କିଣିବା ସହିତ ବିଭିନ୍ନ ରାଜ୍ୟରେ ଆଶ୍ରମ ଖୋଲି ଭକ୍ତଙ୍କୁ ଏକଜୁଟ୍‌ କରୁଥିଲେ ।

ବାବାଙ୍କର ୧୦୦ କୋଟିର ଅଚଳାଚଳ ସମ୍ପତ୍ତି ରହିଥିବା ବେଳେ ବାବାଙ୍କ ଟ୍ରଷ୍ଟ ନାମରେ କୋଟି କୋଟି ଟଙ୍କାର ଜମି ରହିଛି । ଏହାଛଡ଼ା ବାବାଙ୍କର ୨୫ଟି ଗାଡ଼ି ମଧ୍ୟ ରହିଛି । ୨୪ ମେ ୨୦୨୩ ରେ ବାବା ସୁରଜ ପାଲ୍‌ ତାଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ନାରାୟଣ ବିଶ଼୍ବ ହରି ଟ୍ରଷ୍ଟ ନାମରେ କରିଦେଇଥିଲେ । ବାବାଙ୍କ ଭକ୍ତଙ୍କ ମଧ୍ୟରେ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୨.୫ ଲକ୍ଷ ଟଙ୍କା ଦାନ ଦେବା ଭଳି ଭକ୍ତ ସାମିଲ୍‌ ରହିଛନ୍ତି ।

Share