ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀଖାଲ ଶଙ୍ଖ

ବୁଗୁଡ଼ା,୧୯ା୬(କାଳୀଚରଣ ଦାଶ): ବୁଗୁଡା ବାଘୁଆ ଜଳସେଚନ ବିଭାଗ ଅଧୀନରେ ଥିବା କତକଲା ଛକଠାରୁ କୁବେରେଶ୍ୱର ମନ୍ଦିର ଯାଏ ଥିବା ବାଘୁଆ କେନାଲ ରାସ୍ତାରେ ନିର୍ମିତ ହାତୀଖାଲ ଶଙ୍ଖର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ଗାର୍ଡ ୱାଲ୍‌ ଭାଙ୍ଗିଯାଇ ବିପଦକୁ ଆହ୍ବାନ କରୁଛି। ଶହ ଶହ ଶ୍ରଦ୍ଧାଳୁଙ୍କୁ ସେହି ରାସ୍ତା ଦେଇ ପ୍ରସିଦ୍ଧ ଶୈବପୀଠ କୁବେରେଶ୍ୱରକୁ ଯିବାକୁ ପଡୁଛି। ଏଥିସହ ବୁଗୁଡ଼ାକୁ ମୁଖ୍ୟ ସଡ଼କରେ ଯାତାୟାତ କରିବାଠାରୁ ଦୂରତା କମ୍‌ ପଡୁଥିବାରୁ ପାଣିକେଶ୍ୱର, ମହୁଲପଲ୍ଲୀ, ଭଗବାନପୁର, ଟଭାପଲ୍ଲୀ ଓ ଦଦରାଖୋଲ ଆଦି ଗ୍ରାମର ଲୋକେ ଏହି କେନାଲ ରାସ୍ତାକୁ ଆପଣାଇଛନ୍ତି। ତେବେ ହାତୀଖାଲ ଶଙ୍ଖ ବିପର୍ଯ୍ୟସ୍ତ ସାଙ୍ଗକୁ ତା’ର ଗାର୍ଡ ୱାଲ ଭାଙ୍ଗି ଯାଇଥିବାରୁ ଯାନବାହାନରେ ଯାତାୟାତ କରୁଥିବା ଲେକେ ପ୍ରମାଦ ଗଣୁଛନ୍ତି। ଯଦି ଯାତାୟାତ ସମୟରେ ଲୋକେ କୌଣସି କାରଣରୁ ସାଧାରଣ ଅନ୍ୟମନସ୍କ କିମ୍ବା ଅସାବଧାନ ହୁଅନ୍ତି ତେବେ ସେହି ଭଙ୍ଗା ଗାର୍ଡ ୱାଲ୍‌ଠାରେ ୮ ମିଟର ଖାଲ ମଧ୍ୟକୁ ଗଳି ପଡିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଯାନବାହନ ଚାଳକ ତଥା ଅନ୍ୟ ଲୋକଙ୍କ ଜୀବନ ରକ୍ଷା ପାଇଁ ସେହି ଭଗ୍ନ ଗାର୍ଡ ୱାଲର ପୁନଃ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ପ୍ରାୟ ଷାଠିଏ ବର୍ଷ ହେବ ସେହି ଅଙ୍କାବଙ୍କା ହାତୀଖାଲ ଶଙ୍ଖ ତିଆରି ହୋଇଥିବାରୁ ତାହାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଲାଣି। ସେହି ଶଙ୍ଖ ରାସ୍ତା ଦେଇ ଦୈନିକ ଅନେକ ମାଲ ବୋଝେଇ ଟ୍ରାକ୍ଟର ଯାଉଥିବାରୁ କେତେବେଳେ ଯେ ତାହା ଭୁଶୁଡି ପଡିବ ସେ ନେଇ ମଧ୍ୟ ଶଙ୍କା ସୃଷ୍ଟି ହୋଇଛି। ଯଦି ସେହି ଶଙ୍କାପ୍ରଦ ଶଙ୍ଖ କୌଣସି କାରଣରୁ ଭାଙ୍ଗିଗଲା ତେବେ ସେହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ସେଠାରେ ଏକ ହାଇ ଲେଭଲ୍‌ ବ୍ରିଜ୍‌ ନିର୍ମାଣ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇବା ସହ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ବାଘୁଆ ଜଳସେଚନ ବିଭାଗୀୟ ଏସ୍‌ଡିଓ କୃଷ୍ଣଚନ୍ଦ୍ର ପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଭଙ୍ଗା ଗାର୍ଡ ୱାଲର ପୁନଃ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରାଯିବ ଏବଂ ହାଇ ଲେଭଲ୍‌ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଉଚ୍ଚସ୍ତରୀୟ ପଦକ୍ଷେପ ଅଟେ।