Advertisement

ଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁ

ଦଶମନ୍ତପୁର,୧୩ା୧୦(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମ। ଗ୍ରାମକୁ ଚାରିପଟେ ଘେରି ରହିଛି ୪ଟି ପାହାଡ। ଏହି ପାହାଡଗୁଡିକ ହିଁ ଗ୍ରାମର ବିକାଶରେ ସାଜିଛି ବାଧକ। ଗ୍ରାମରେ ଥିବା ସମସ୍ୟାଗୁଡିକର ସମାଧାନ ହୋଇପାରୁ ନ ଥିବାରୁ ବିକାଶର ମାନଚିତ୍ରରେ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି ହାତୀମୁଣ୍ଡାର। ସବୁଠାରୁ ଉଲ୍ଲେଖନୀୟ କଥା ଯେ, ଆଜିଯାଏ ଏହି ଗ୍ରାମର କେହି ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି।
୨୭ ଘର ଆଦିବାସୀ ସମ୍ପ୍ରଦାୟ ୧୨୦ ଲୋକ ବସବାସ କରନ୍ତି ଗ୍ରାମରେ। ପାହାଡ ପର୍ବତ ଘେରି ରହିଥିବାରୁ ସରକାରଙ୍କ କୌଣସି ଯୋଜନା ଏଯାଏ ପହଞ୍ଚତ୍ ପାରି ନ ଥିବା କହନ୍ତି ଗ୍ରାମବାସୀ। ଫୁଲବେଡ଼ା ପଞ୍ଚାୟତରୁ ୧୦ କି.ମି. ବ୍ଲକଠାରୁ ୩୮ କି.ମି. ଦୂରରେ ଥିବା ଏହି ଗ୍ରାମରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ଗ୍ରାମର ଜଣେ ବି ହିତାଧିକାରୀଙ୍କୁ ସରକାରଙ୍କ ଆବାସ ଯୋଜନାରେ ଗୃହ ମିଳିନାହିଁ ବୋଲି କହିଛନ୍ତି ଗ୍ରାମର ମନ ପୂଜାରୀ, ଡମୁ ପୂଜାରୀ, ମୁଟୁଲୁ ପୂଜାରୀ, ଟୁଟୁ ପୁଜାରୀ, ଜିରୁ ମୁଦୁଲି, କସାଇ ମୁଦୁଲି। ସରକାରଙ୍କ ଉନ୍ନୟନମୂଳକ ଯୋଜନାରେ କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ଗ୍ରାମରେ। ଜଙ୍ଗଲ ପାହାଡରୁ କାଠ ସଂଗ୍ରହ କରି ଏହାକୁ ୩ କି.ମି. ଦୂର ପାହାଡିଆ ଜଙ୍ଗଲ ରାସ୍ତାରେ ବୋହିନେଇ ରାଣୀଗୁଡ଼ାରେ ବିକ୍ରି କରି ସେଥିରୁ ଯାହା ରୋଜଗାର କରନ୍ତି ଚଳାଉଥିବା ଗ୍ରାମବାସୀଙ୍କ ମଧ୍ୟରେ ଗ୍ରାମ ପ୍ରତି ସରକାରୀ ଉଦାସୀନତାକୁ ନେଇ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ। ଆମକୁ ଆବାସ ଯୋଜନାରେ ସାମିଲ ସହ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ନ କଲେ ଆମେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ହାତୀମୁଣ୍ଡାବାସୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share