Categories: ଫୁରସତ

୧୭ ପୁରୁଷଙ୍କୁ ଆକ୍ରମଣ କରିଛି ହଣ୍ଟେଡ୍‌ ଡଲ୍‌

ଲଣ୍ଡନ: ବ୍ରିଟେନ୍‌ର ଏଲିଜାବେଥ୍‌ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍‌ ଡଲ୍‌ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି। ସାଉଥ୍‌ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍‌ଭେଷ୍ଟିଗେଟର ଲି ଷ୍ଟୀର (୩୭) ଇ-କମର୍ସ ପ୍ଲାଟଫର୍ମ ‘ଇ-ବେ’ରୁ ୮୬୬ ପାଉଣ୍ଡ(ପ୍ରାୟ ୯୫ ହଜାର ଚଙ୍କା) ମୂଲ୍ୟରେ ଏହି କଣ୍ଢେଇକୁ କିଣିଥିଲେ। ରଦରହମରେ ଷ୍ଟୀରଙ୍କର ଏକ ମ୍ୟୁଜିୟମ ରହିଛି, ଯେଉଁଠାରେ ସେ ବିଭିନ୍ନ ହଣ୍ଟେଡ୍‌ ବସ୍ତୁର ପ୍ରଦର୍ଶନୀ ଆୟୋଜନ କରିଥାନ୍ତି। ଷ୍ଟୀର ଏଲିଜାବେଥ୍‌କୁ କିଣି ନିଜ ମ୍ୟୁଜିୟମରେ ରଖିଥିଲେ। ଷ୍ଟୀର କହିଛନ୍ତି, ଏଲିଜାବେଥ୍‌ ଏକ ସାଧାରଣ କଣ୍ଢେଇ ପରି ଦେଖାଯାଉଥିଲେ ମଧ୍ୟ ଏହା ଏକ ହଣ୍ଟେଡ୍‌ ଡଲ୍‌। ଏକଦା ସେ ମ୍ୟୁଜିୟମରେ ଏଲିଜାବେଥ ନିକଟରେ ଉପସ୍ଥିତ ଥିବାବେଳେ ତାଙ୍କ ବେକ ଏବଂ ପିଠିରେ କେହି ଆମ୍ପୁଡ଼ିବା ପରି ମନେ କରିଥିଲେ। ଘରେ ଯାଇ ଦେଖିବା ପରେ ସେ ନିଜ ପେଟରେ ଆଘାତ ଥିବା ଦେଖିବାକୁ ପାଇଥିଲେ। କେବଳ ସେ ନୁହନ୍ତି ସଂଗ୍ରହାଳୟକୁ ଆସୁଥିବା ଅନ୍ୟ ପୁରୁଷମାନେ ମଧ୍ୟ ସମାନ ଅନୁଭବ କରିଥିବା ଷ୍ଟୀର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ହଣ୍ଟେଡ୍‌ ଡଲ୍‌ ତାଙ୍କୁ ମିଶାଇ ୧୭ ଜଣ ପୁରୁଷଙ୍କୁ ଶାରୀରିକ ଭାବେ ଆଘାତ ଦେଇଛି। ତେବେ ଏହାବ୍ୟତୀତ ଏଲିଜାବେଥ୍‌ ଉକ୍ତ ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ବସ୍ତୁକୁ ଏପଟସେପଟ କରି ଏଣେତେଣେ ଫୋପାଡ଼ିବା, ଫାୟାର ଆଲାରାମ୍‌କୁ ବଜାଇବା ଆଦି ଅନେକ କାର୍ଯ୍ୟକଳାପ କରିଥାଏ ବୋଲି ଷ୍ଟୀର କହିଛନ୍ତି। ଧୋକାର ସମ୍ମୁଖୀନ ହୋଇଥିବା କୌଣସି ନବ ବିବାହିତା ମହିଳାଙ୍କର ଆତ୍ମା ଏଲିଜାବେଥ୍‌ ମଧ୍ୟରେ ରହିଥିବା ନେଇ ଷ୍ଟୀର ଅନୁମାନ କରିଛନ୍ତି। ବୋଧହୁଏ ସମ୍ପୃକ୍ତା ମହିଳା କୌଣସି ପୁରୁଷଙ୍କ ଦ୍ୱାରା ବହୁଳ ଭାବେ ଅତ୍ୟାଚାରିତ ହୋଇଛନ୍ତି। ସେଥିପାଇଁ ଉକ୍ତ ହଣ୍ଟେଡ୍‌ ଡଲ୍‌ କେବଳ ବିବାହିତ ପୁରୁଷମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଷ୍ଟୀର କହିଛନ୍ତି।

Share