ଭଲ ବ୍ୟବସାୟ ଲାଗି ଘୋଡ଼ାକୁ ଜୋରଜବରଦସ୍ତି ଟଣାଉଛନ୍ତି ଗଞ୍ଜେଇ

ଡେରାଡୁନ୍‌: ଏକ ଘୋଡ଼ାକୁ ୨ ଜଣ ବ୍ୟକ୍ତି ଜୋର ଜବରଦସ୍ତ ଧୂମପାନ କରାଉଥିବାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ରାସ୍ତାରେ। ଗୁରୁବାର ଏହି ଭିଡିଓ ଭାଇରାଲ ହେବା ପରେ ଉତ୍ତରାଖଣ୍ଡ ପୋଲିସ ଏନେଇ ତତ୍ପରତା ଦେଖାଇ ଉକ୍ତ ୨ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଥିବା କହିଛି। କେଦାରନାଥ ଯାତ୍ରାରେ ଯାଉଥିବା କେହି ଜଣେ ଭକ୍ତ ଏହି ଭିଡିଓ କଏଦ କରି ସୋସିଆଲ ମିଡିଆରେ ଛାଡ଼ିଥିବା ଜଣାପଡିଛି। ଏହି ଘଟଣା ଲୋକଙ୍କ ମନରେ ବହୁ ଆଘାତ ଦେଇଛି। ପ୍ରାଣୀଙ୍କ ପ୍ରତି ନିର୍ଦ୍ଦୟତାର ପ୍ରମାଣ ସ୍ବରୂପ ଏହି ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି। ଭିଡିଓରେ ୨ ଜଣ ବ୍ୟକ୍ତି ଏକ ଘୋଡ଼ାର ପାଟିରେ ଜବରଦସ୍ତ ଏକ ଗଞ୍ଜେଇ ଚିଲମ ଦେଉଛନ୍ତି। ଏଥିସହ ତା’ ନାକ ବନ୍ଦକରି କିଛି ସମୟ ପରେ କାଢୁଛନ୍ତି। ଏହାପରେ ଘୋଡ଼ାଟିର ନାକରୁ ଧୂଅଁା ବାହାରୁଥିବା ଦେଖିବାକୁ ମିଳିଛି। ଚାରିଧାମ ଯାତ୍ରାରେ ଯାତ୍ରୀ ଘୋଡ଼ା ଭଡ଼ା କରି ଯାତ୍ରା କରିଥାନ୍ତି। ତେବେ ଘୋଡ଼ା ଯେପରି ଥକି ନ ପଡ଼େ ବ୍ୟବସାୟ ଜାରି ରହେ ସେଥିଲାଗି ମାଲିକ ଘୋଡାକୁ ଗଞ୍ଜେଇ ଟଣାଉଥିବା କୁହାଯାଉଛି।

 

Share