ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ରାମମନ୍ଦିରର ଥ୍ରି-ଡି ଫଟୋକୁ ସମସ୍ତଙ୍କ ସହ ଶେୟାର କରାଯାଇଛି। ୧୯୮୯ ମସିହାରେ ପ୍ରସ୍ତାବିତ ମନ୍ଦିରର ମଡେଲକୁ ବଦଳାଇ ଏହାକୁ ଅଧିକ ଭବ୍ୟ କରାଯାଇଛି। ପ୍ରଥମେ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ ଫୁଟ ରହିଥିଲା। ଏବେ ଏହା ୧୬୧ ଫୁଟ ହୋଇଛି। ତିନୋଟି ବଦଳରେ ପାଞ୍ଚଟି ଗମ୍ବୁଜର ତଳେ ଚାରିଟି ଭାଗ ରହିବ ଏବଂ ଗୋଟିଏ ମୁଖ୍ୟ ଶିଖର ରହିବ।

ରାମମନ୍ଦିର ନକ୍ସା(ମାନଚିତ୍ର) ପ୍ରସ୍ତୁତ କରିଥିବା ମୁଖ୍ୟ ସ୍ଥପତି ସୋମପୁରାଙ୍କ ପୁଅ ନିଖିଲ ସୋମପୁରା କହିଛନ୍ତି ଯେ, ମୋଟ ୬୭ ଏକର ଜମି ରହିଛି। ହେଲେ ୨ ଏକର ଜମିରେ ମନ୍ଦିର ନିର୍ମାଣ ହେବ। ବାକି ୬୫ ଏକରରରେ ରାମମନ୍ଦିର ପରିସରକୁ ବିସ୍ତାର କରାଯିବ। ଏହାଦେଶର ସବୁଠାରୁ ଚମତ୍କାର ମନ୍ଦିର ହେବ। ରାମମନ୍ଦିର ନିର୍ମାଣରେ ରାଜସ୍ଥାନର ବଂଶୀ ପାହାଡ଼ପୁରର ପଥର ବ୍ୟବହାର କରାଯିବ। ଉକ୍ତ ଅଞ୍ଚଳର ପଥର ଏହାର ଶକ୍ତି ଏବଂ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ। ଏହାର ବିଶେଷତାକୁ ଦୃଷ୍ଟିରେ ରଖି ଦେଶର ବଡ଼ ବଡ଼ ମନ୍ଦିର ଏବଂ ଅଟ୍ଟାଳିକାରେ ଏହାକୁ ବ୍ୟବହାର କରାଯାଇଛି। ଏବେ ଅଯୋଧ୍ୟା ମନ୍ଦିର ପାଇଁ ଏହି ପଥରଗୁଡ଼ିକ ଆସିବାକୁ ନିର୍ଦ୍ଦେଶ ଦିଆଯାଇସାରିଛି। ମନ୍ଦିର ପ୍ରସ୍ତୁତ ହେବାକୁ ୩ରୁ ସାଢ଼େ ୩ ବର୍ଷ ସମୟ ଲାଗିବ। ଏହା ତିନି ମହଲା ବିଶିଷ୍ଟ ହେବ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ କରାଯିବ।

ମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି। ସୋମବାରଠାରୁ ୩ ଦିନିଆ ଉତ୍ସବ ଆରମ୍ଭ ହୋଇଛି। ବୁଧବାର ଭୂମିପୂଜନ ପାଇଁ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ୫ଜଣ ରହିବେ। ଏହି ଉତ୍ସବ ଲାଗି ୧୭୫ଜଣଙ୍କୁ ନିମନ୍ତ୍ରଣ କରାଯାଇଛି।

Share