ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ରିଭ୍ୟୁ ପିଟିଶନକୁ ବିଚାରକୁ ନିଆଯିବା ପୂର୍ବରୁ ତାଙ୍କ ପିଟିଶନର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ବିରୋଧରେ ଦୁଇଟି ଟୁଇଟ୍ କରି ବିବାଦୀୟ ହୋଇଥିଲେ। ନ୍ୟାୟପାଳିକାକୁ କେତେଜଣ ପୂର୍ବତନ ପ୍ରଧାନ ବିଚାରପତି ଧ୍ୱଂସ କରିଦେଇଛନ୍ତି ବୋଲି ପ୍ରଥମ ଟୁଇଟ୍ରେ ସେ ସମାଲୋଚନା କରିଥିଲେ। ସେହିପରି ସିଜେଆଇ ଏସ୍.ଏ. ବୋବ୍ଡେ ସୁପ୍ରିମକୋର୍ଟକୁ ଲକ୍ଡାଉନ୍ କରି ହାର୍ଲି ଡେଭିଡ୍ସନ ବାଇକ୍ରେ ବସିଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ପ୍ରଶାନ୍ତ ଭୂଷଣଙ୍କୁ ଗତ ଅଗଷ୍ଟ ୩୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଟଙ୍କାଏ ଜରିମାନା ଦେବାକୁ ନଚେତ୍ ୩ ମାସ ଜେଲ୍ଦଣ୍ଡ ଭୋଗିବା ସହ ୩ ବର୍ଷ ପାଇଁ ଓକିଲାତି କରିବାରୁ ବାସନ୍ଦ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୪ରେ ୧ ଟଙ୍କା ଜରିମାନା ପଇଠ କରି ଦୁଇଟି ସ୍ବତନ୍ତ୍ର ରିଭ୍ୟୁ ପିଟିଶନ ଦାଏର କରିଛନ୍ତି। ଏହାବାଦ ସେପ୍ଟେମ୍ବର ୧୨ରେ ଅନ୍ୟ ଏକ ପିଟିଶନ ଦାଏର କରିଛନ୍ତି। ଆପରାଧିକ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବୃହତ୍ ଖଣ୍ଡପୀଠରେ ଅପିଲ କରିବା ଅଧିକାର ରହୁ ବୋଲି ଏଥିରେ ସେ ଅନୁରୋଧ କରିଛନ୍ତି।