ନୂଆଦିଲ୍ଲୀ,୯।୨: ସୋସିଆଲ ମିଡିଆ ଜରିଆରେ ଭାରତୀୟଙ୍କ ଭାବନାକୁ ଆଘାତ ଦେବା ପାଇଁ ପିଜା ଚେନ ଡୋମିନଜ ଏବଂ ଜାପାନର ଅଟୋ କମ୍ପାନୀ ହୋଣ୍ଡା ବୁଧବାର କ୍ଷମାପ୍ରାର୍ଥନା କରିଛନ୍ତି। ସ୍ବାଧୀନ କଶ୍ମୀର ସମର୍ଥନ କରିବା ଘଟଣାକୁ ନେଇ କୋରିୟାର କାର ନିର୍ମାତା ହ୍ୟୁଣ୍ଡାଇ ସ୍ପଷ୍ଟିକରଣ ରଖିବାର ଦିନକ ପରେ ଅନ୍ୟ ଅନ୍ତର୍ଜାତୀୟ କମ୍ପାନୀ ଠାରୁ ପ୍ରତିକ୍ରିୟା ଆସିଛି।
“ଡୋମିନଜ ଇଣ୍ଡିଆ ଭାରତୀୟ ମାର୍କେଟ ପାଇଁ ପ୍ରତିବଦ୍ଧ। ୨୫ ବର୍ଷ ହେଲା ଆମେ ଭାରତକୁ ଘର ବୋଲି କହି ଆସିଛୁ। ଆମେ ଏହାର ଲୋକ, ପରାମ୍ପରା ଓ ଦେଶର ଜାତୀୟତାବାଦ୍କୁ ଆମେ ସର୍ବଦା ସମ୍ମାନ ଦେଉ। ଆମେ ଏହାର ଲେଗାସିକୁ ସର୍ବଦା ବଜାୟ ରଖିବା ଲାଗି ଆମେ ଛିଡ଼ା ହୋଇଛୁ” ବୋଲି ଡୋମିନଜ ଇଣ୍ଡିଆ ପକ୍ଷରୁ ଟୁଇଟ୍ କରାଯାଇଛି।
ସେହିଭଳି ହୋଣ୍ଡା ପକ୍ଷରୁ ଟୁଇଟ୍ କରାଯାଇଛି ଯେ, “ହୋଣ୍ଡା କାର୍ଯ୍ୟ କରୁଥିବା ପ୍ରତ୍ୟେକ ଦେଶର ନିୟମ ଏବଂ ଭାବନାକୁ ସମ୍ମାନ ଦିଏ। ଏଥିଲାଗି ଆମେ ପ୍ରତିବଦ୍ଧ। ଯଦି ଆମେ କାହା ଭାବାନକୁ ଆଘାତ ଦେଇଛୁ, ତେବେ ସେଥିଲାଗି ଆମେ ଅନୁତପ୍ତ”। ଡୋମିନଜ ଏବଂ ହୋଣ୍ଡାକୁ ମିଶାଇ ଅନେକ ଅନ୍ତର୍ଜାତୀୟ କମ୍ପାନୀ କ୍ଷମାପ୍ରାର୍ଥନା କରିଛନ୍ତି। ଏହି ତାଲିକାରେ ରହିଛନ୍ତି ହ୍ୟୁଣ୍ଡାଇ, କେଏଫ୍ସି, ପିଜା ହଟ, ଟୋୟୋଟା, ସୁଜିକି ଭଳି କମ୍ପାନୀ। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ପାଳନ କରୁଥିବା କଶ୍ମୀର ଏକତା ଦିବସରେ ଉପରୋକ୍ତ ଅନ୍ତର୍ଜାତୀୟ କମ୍ପାନୀର ବ୍ରାଞ୍ଚ କଶ୍ମୀରର ସ୍ବାଧୀନତା ଉପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିଲାଗି ଟୁଇଟରରେ ବିଭିନ୍ନ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଦାବି ଉଠିଥିଲା।