Categories: ଜାତୀୟ

ଆପଣଙ୍କ ଗାଡ଼ିରେ ଅଧିକ ଟଙ୍କା ଫାଇନ୍ ଅଛି କି ? ଇନ୍‌ସ୍ୟୁରାନ୍ସ କରିବା ବେଳେ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୨୫।୯: ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ନିୟମ ଆସିଲେ ବିଶେଷ କରି ଯେଉଁମାନଙ୍କର ଗାଡ଼ିରେ ପୂର୍ବରୁ ବିଭିନ୍ନ ଫାଇନ୍ ବା ଚାଲାଣ ଅଛି ସେମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏନେଇ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି।

ସର୍ବାଧିକ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡିଗୁଡ଼ିକୁ ଇନ୍‌ସ୍ୟୁରାନ୍ସ ପ୍ରିମିୟମ ସହିତ ଯୋଡିବା ପାଇଁ ଏଲଜି ଭି.କେ ସାକ୍ସେନା ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ବେପରୁଆ ଗାଡିଚାଳନାକୁ ରୋକିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଛି। ସାକ୍ସେନା ତାଙ୍କ ଚିଠିରେ ଏକ ସ୍ତରୀୟ ବୀମା ପ୍ରିମିୟମ ସିଷ୍ଟମକୁ ସୁପାରିଶ କରିଛନ୍ତି ଯାହା କାର ଚଳାଉଥିବା ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଭାବିତ କରିବ। ଏହି ବ୍ୟବସ୍ଥା ଅଧୀନରେ, ଟ୍ରାଫିକ୍ ନିୟମର ଉଲ୍ଲଂଘନ ଏବଂ ଦ୍ରୁତ ଗତିରେ ରେଡ୍ ଲାଇଟ୍ ପାର କରିବା ଫଳରେ ଅଧିକ ବୀମା ପ୍ରିମିୟମ ଦେବାକୁ ପଡିବ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବ୍ୟବସ୍ଥାର ପ୍ରୟୋଗ କେବଳ ଅବହେଳାକୁ ଦୂର କରିବ ନାହିଁ ବରଂ ବୀମାକାରୀଙ୍କ ଉପରେ ଆର୍ଥିକ ବୋଝକୁ ମଧ୍ୟ ହ୍ରାସ କରିବ। ଭି.କେ ସାକ୍ସେନାଙ୍କ ଅନୁଯାୟୀ, ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଏହି ପଦ୍ଧତି ପ୍ରୟୋଗ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ କରିବା ଏବଂ ଦୁର୍ଘଟଣାକୁ ହ୍ରାସ କରିବା। କେବଳ ଏତିକି ନୁହେଁ, ଏହି ଉପାୟ ଯୋଗୁଁ ଅନେକ ଜୀବନ ମଧ୍ୟ ରକ୍ଷା ପାଇପାରିବ।

ରିପୋର୍ଟ ଅନୁଯାୟୀ 2022 ମସିହାରେ ଭାରତରେ 4 ଲକ୍ଷ 37 ହଜାର ସଡ଼କ ଦୁର୍ଘଟଣା ରେକର୍ଡ ହୋଇଥିଲା। ଏହି ସମସ୍ତ ଦୁର୍ଘଟଣାର 70 ପ୍ରତିଶତ ପ୍ରାୟ ଅତ୍ୟଧିକ ଦ୍ରୁତ ଗାଁଟିର ଗାଡି ଚଳାଇବା ଯୋଗୁଁ ଘଟିଛି।

Share