Categories: ଜାତୀୟ

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ ମତ ରଖିଛନ୍ତି। ଖାର୍ଗେ କହିଛନ୍ତି, ମୁଁ ମୋର ସହକର୍ମୀ ଶଶି ଥରୁରଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି। ମୁଁ ତାଙ୍କୁ ଭେଟି ଦଳକୁ କିପରି ଆଗକୁ ନେବି ସେ ବିଷୟରେ ଆଲୋଚନା କଲି। ମୁଁ ସମସ୍ତ ଦଳର କର୍ମୀଙ୍କ ତରଫରୁ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କ ନେତୃତ୍ୱରେ ଆମେ କେନ୍ଦ୍ରରେ ଦୁଇଥର ଆମ ସରକାର ଗଠନ କରିଥିଲୁ। ସ୍ବାଧୀନତାର ୭୫ ବର୍ଷରେ କଂଗ୍ରେସ ଏହି ଦେଶର ଗଣତନ୍ତ୍ରକୁ ମଜବୁତ କରିଛି ଏବଂ ସମ୍ବିଧାନର ସୁରକ୍ଷା କରିଛି। ଆଜି ଗଣତନ୍ତ୍ର ବିପଦରେ ଅଛି ଏବଂ ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଆଭ୍ୟନ୍ତରୀଣ ନିର୍ବାଚନ ଗଣତନ୍ତ୍ରକୁ ମଜଭୁତ କରିଛି। ଆଜି ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଛି। ଦେଶରେ ଘୃଣା ବ୍ୟାପିବାରେ ଲାଗିଛି। ଏହା ବିରୋଧରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି। ଦେଶ ତାଙ୍କ ସଂଘର୍ଷ ସହିତ ଅଛି। ମୁଁ କଂଗ୍ରେସର ସିପାହୀ ଭାବରେ କାର୍ଯ୍ୟ ଜାରି ରଖିବି। କଂଗ୍ରେସରେ ସମସ୍ତେ ସମାନ। ଦଳରେ କେହି ବଡ଼ କିମ୍ବା ଛୋଟ ନୁହଁନ୍ତି। ସାମ୍ପ୍ରଦାୟିକତା ନାମରେ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଥିବା ଫାସିବାଦୀ ଶକ୍ତି ବିରୁଦ୍ଧରେ ଆମକୁ ମିଳିତ ଭାବରେ ଲଢିବାକୁ ହେବ।
କେନ୍ଦ୍ରକୁ ଟାର୍ଗେଟ୍‌ କରି ଖାର୍ଗେ କହିଛନ୍ତି, ଦିଲ୍ଲୀରେ କ୍ଷମତାରେ ବସିଥିବା ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ଏକଛତ୍ରବାଦୀ ଶାସନ ଦେଶରେ ଚାଲିପାରିବ ନାହିଁ। ସମସ୍ତଙ୍କୁ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ଶ୍ରମିକଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିଥିବାରୁ ମୁଁ କୃତଜ୍ଞ।
ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ମଲ୍ଲିକାର୍ଜୁନ ଖାର୍ଗେ ଏକ ବୃହତ ବ୍ୟବଧାନରେ ଜିତିଛନ୍ତି। ଖାର୍ଗେ ୭୮୯୭ ଖଣ୍ଡ ଭୋଟ ପାଇଥିବାବେଳେ ଶଶି ଥରୁର ମାତ୍ର ୧୦୭୨ ଖଣ୍ଡ ଭୋଟ ପାଇଛନ୍ତି। ଅକ୍ଟୋବର ୨୬ରେ ଖାର୍ଗେ ଦାୟିତ୍ୱ ଗ୍ରହଣ କରିବେ।

Share